ବେକାରୀ ଓ କୃଷି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ ! ନବୀନ ନିବାସ ଘେରାଉ ପାଇଁ ଗଲାବେଳେ ପୋଲିସ ସହ ଧସ୍ତାଧସ୍ତି, ଶତାଧିକ କର୍ମୀ ଗିରଫ ।

35

କନକ ବ୍ୟୁରୋ : ରାଜରାସ୍ତାରେ ଯୁବ କଂଗ୍ରେସର ଗର୍ଜନ । ବେକାରୀ ଓ ଚାଷୀ ସମସ୍ୟା ନେଇ ଭୁବନେଶ୍ୱରରେ ଯୁବ କଂଗ୍ରେସ କରିଛି ବିଶାଳ ସମାବେଶ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । ସମାବେଶରେ ବରିଷ୍ଠ ନେତାଙ୍କ ସହ ଜାତୀୟ ଯୁବ କଂଗ୍ରେସର ସଭାପତି, ଉପସଭାପତିଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ । ତେବେ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ଯୁବ କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

ନବୀନ ନିବାସ ଘେରାଉ ପୂର୍ବରୁ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଜୋରଜବରଦସ୍ତ ପୋଲିସ କର୍ଡନ ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିଲେ ଯୁବ କଂଗ୍ରେସ କର୍ମୀ । ଆଉ ସେମାନଙ୍କୁ ଅଟକାଇବାକୁ ନାକେଦମ୍ ହୋଇଥିଲା କମିଶନରେଟ୍ ପୋଲିସ । ଜଣ ଜଣଙ୍କୁ ଉଠାଇନେଇ ପୋଲିସ ଗାଡିରେ ଭର୍ତ୍ତି କରୁଥିଲା । ତଥାପି ପ୍ରତିବାଦରୁ ହଟୁନଥିଲେ ଉତ୍ୟକ୍ତ ଯୁବ କଂଗ୍ରେସ କର୍ମୀ ।

ବେକାରୀଙ୍କ ପାଇଁ ଚାକିରି, ଚାଷୀଙ୍କ ଋଣ ଛାଡ ଓ କ୍ଷତିପୂରଣ ଦାବିରେ ବିଶାଳ ସମାବେଶ କରିଛି ଯୁବ କଂଗ୍ରେସ । ନାରା ଦେଇଛି ଭାରତ ବଂଚାଅ, ଓଡିଶା ବଂଚାଅ । ସମାବେଶ ପରେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ଯୁବ କଂଗ୍ରେସ କର୍ମୀ । ହେଲେ ତାପୂର୍ବରୁ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡକୁ ଆସିଯାଇଛି କଂଗ୍ରେସ । ରାଜ୍ୟର ଛୋଟ, ବଡ ସମସ୍ୟାକୁ ନେଇ ପ୍ରତିବାଦ ଜୋରଦାର କରିଛି । ଦୁଇ ଦିନ ତଳେ ରାଜଧାନୀରେ କୃତ୍ରିମ ବନ୍ୟା ସ୍ଥିତି ନେଇ ଏନଏଚଏଆଇ ଅଫିସରେ ପାଣି ମାଡ କରିବା ପରେ ଆଜି ବେକାରୀ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ କରିଛି ବିଶାଳ ସମାବେଶ କରାଯାଇଛି ।