ଜୀବନ ବୀମା କରିବାକୁ ଇଛୁକ ଲୋକଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧ରୁ ଶସ୍ତା ହୋଇପାରେ ପ୍ରିମିୟମ ।

ଆସନ୍ତା ଏପ୍ରିଲ ୧ରୁ ଆର୍ଥିକ ଜୀବନ ବୀମା ପ୍ରିମିୟମ ବାବଦରେ ପଲିସି କ୍ରୟ କରୁଥିବା ବ୍ୟକ୍ତିଙ୍କୁ କମ୍ ଅର୍ଥ ଦେବାକୁ ପଡ଼ିପାରେ।

325

ଯଦି ଆପଣ ଆପଣଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ଏବଂ ଜୀବନ ବୀମା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ ୧ରୁ ଆର୍ଥିକ ଜୀବନ ବୀମା ପ୍ରିମିୟମ ବାବଦରେ ପଲିସି କ୍ରୟ କରୁଥିବା ବ୍ୟକ୍ତିଙ୍କୁ କମ୍ ଅର୍ଥ ଦେବାକୁ ପଡ଼ିପାରେ।

ବୀମା ପ୍ରିମିୟମ ଧାର୍ଯ୍ୟ କରିବା ଲାଗି କମ୍ପାନି ଗୁଡ଼ିକ ଯେଉଁ ମୃତ୍ୟୁ ହାର ସାରଣୀକୁ ମାନଦଣ୍ଡ ଭାବେ ଧାର୍ଯ୍ୟ କରୁଛନ୍ତି ସେଥିରେ ପରିବର୍ତନ ଆସିବ। କମ୍ପାନି ଗୁଡ଼ିକ ନୂଆ ସାରଣୀକୁ ଗ୍ରହଣ କରିବେ। ନୂଆ ସାରଣୀରେ ମୃତ୍ୟୁ ହାର ହ୍ରାସ ପାଇଥିବାରୁ ଏଭଳି ଆଶା ବ୍ୟକ୍ତ କରାଯାଇଛି। ବିଶେଷକରି ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ପାଇଁ ଜୀବନ ବୀମା ପ୍ରିମିୟମ ବାବଦରେ କମ୍ ରାଶି ଦେବାକୁ ପଡ଼ିପାରେ। ବୀମା କରିଥିବା ବ୍ୟକ୍ତିମାନଙ୍କର ହାରାହାରି ମୃତ୍ୟୁ ହାର ସାରଣୀ ୨୦୧୨-୧୪ ଇନଷ୍ଟିଚ୍ୟୁଟ ଅଫ୍ ଆକଚୁଆରିଜ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ମୃତ୍ୟୁ ହାର ୪ରୁ ୧୬ ପ୍ରତିଶତ ପର‌୍ୟ୍ୟନ୍ତ ହ୍ରାସ ପାଇଛି। ପୂର୍ବରୁ ବୀମା ପ୍ରିମିୟମ ଧାର‌୍ୟ୍ୟ କରିବା ପାଇଁ ୨୦୦୬-୦୮ର ମୃତ୍ୟୁ ହାର ସାରଣୀକୁ ବ୍ୟବହାର କରାଯାଉଥିଲା। ତେଣୁ ନୂଆ ସାରଣୀ ବ୍ୟବହାର କରି ପ୍ରିମିୟମ ଧାର‌୍ୟ୍ୟ କରାଗଲେ ପ୍ରିମିୟମ ରାଶି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ବିଦେଶରେ ଏହି ସାରଣୀ ପ୍ରତିବର୍ଷ ବାହାର କରାଯାଉଥିବାବେଳେ ଭାରତରେ ଏହା ୫ରୁ ୬ ବର୍ଷରେ ଥରେ କରାଯାଇଥାଏ। ଏହି ସାରଣୀରେ ଜୀବନ ବୀମା କରିଥିବା ୧ହଜାରେ ବ୍ୟକ୍ତିଙ୍କ ମଧ୍ୟରୁ କେତେ ଜଣ ମୃତ୍ୟୁବରଣ କରିଥାନ୍ତି ତାହାକୁ ନିଆଯାଇ ମୃତ୍ୟୁ ହାର ଧାର‌୍ୟ୍ୟ କରାଯାଇଥାଏ। ବୀମା କମ୍ପାନି ଗୁଡ଼ିକ ସାଧାରଣତଃ ଯେଉଁ ବୟସର ବ୍ୟକ୍ତିମାନଙ୍କୁ ଅଧିକ ସଂଖ୍ୟାରେ ପଲିସି ବିକ୍ରି କରିଥାନ୍ତି ସେହି ବର୍ଗର ବ୍ୟକ୍ତିଙ୍କ ମୃତ୍ୟୁ ହାର ହ୍ରାସ ପାଇଛି। କିନ୍ତୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୀମା ପ୍ରିମିୟମ ବୃଦ୍ଧି ପାଇପାରେ। କାରଣ ୮୨ରୁ ୧୦୫ ବର୍ଷ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ମୃତ୍ୟୁ ହାର ୩ରୁ ୨୧ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧି ଘଟିଛି। କିନ୍ତୁ ୧୪ରୁ ୪୪ ବର୍ଷର ମହିଳାଙ୍କ ପାଇଁ ଏହି ମୃତ୍ୟୁ ହାର ହ୍ରାସ ୪.୫ ପ୍ରତିଶତରୁ ୧୭ ପ୍ରତିଶତ ପର‌୍ୟ୍ୟନ୍ତ ହ୍ରାସ ପାଇଛି। ତେଣୁ ଏହି ବୟସର ମହିଳାଙ୍କ ବୀମା ପ୍ରିମିୟମ ମଧ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି।