ଜନଜାତି କ୍ରିଡ଼ାବିତଙ୍କୁ ପ୍ରୋତ୍ସାହନ ପ୍ରୟାସ ! ଆରମ୍ଭ ହେଲା ଜନଜାତି କ୍ରୀଡ଼ା ପ୍ରତିଯୋଗିତା

24

କନକ ବ୍ୟୁରୋ: ଅନୁସୂଚିତ ଜନଜାତି କ୍ରିଡ଼ାବିତଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି। ଜନଜାତି ଅଧ୍ୟୁଷିତ ବ୍ଲକରେ ‘ଜନଜାତି କ୍ରୀଡ଼ା ପ୍ରତିଯୋଗିତା’ ଆୟୋଜନ କରାଯାଇଛି । ପ୍ରତି ଜିଲ୍ଲାରେ ଏହି ପ୍ରତିଯୋଗିତା ହେବ। ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଜୟୀ ପ୍ରତିଯୋଗୀଙ୍କୁ ସରକାର ପୁରସ୍କୃତ କରିବେ। ଏଥି ପାଇଁ ପାଖାପାଖି ୧.୧୪ କୋଟି ପୁରସ୍କାର ରାଶିର ବ୍ୟବସ୍ଥା କରାଯାଇଛି । ଗତକାଲି ଏହି ପ୍ରତିଯୋଗିତାକୁ ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତିମାନଙ୍କ ମଧ୍ୟରେ ଅସାଧାରଣ କ୍ରୀଡ଼ା ପ୍ରତିଭା ରହିଛି, ଯାହା ସେମାନଙ୍କ ସଂସ୍କୃତି ଓ ଜୀବନଧାରାରେ ମଧ୍ୟ ଦେଖିବାକୁ ମିଳେ । ହକି, ତୀରନ୍ଦାଜି, ଆଥଲେଟିକ୍ସ ଆଦି କ୍ରୀଡ଼ାରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ହକି ଜାତୀୟ ଦଳରେ ଓଡ଼ିଶାରୁ ଅନେକ ଖେଳାଳୀ କ୍ୟାପଟେନ୍ ମଧ୍ୟ ହୋଇପାରିଛନ୍ତି । ଏହି ପ୍ରତିଯୋଗିତା ଦ୍ୱାରା ଆମର ଜନଜାତି କ୍ରୀଡ଼ାବିତମାନଙ୍କର ପ୍ରତିଭାର ବିକାଶ ହେବା ସହ ସେମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିପାରିବେ ।

କୋରାପୁଟର ସିମିଳିଗୁଡ଼ା, ମୟୂରଭଞ୍ଜର ଉଦଳା ଓ ସୁନ୍ଦରଗଡ଼ର ସଦର ବ୍ଲକରେ ଏହି ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାର ଲୋଗୋ ଓ ମାସ୍କଟ୍ ଓଲି ମଧ୍ୟ ଉନ୍ମୋଚିତ ହୋଇଥିଲା । ବର୍ତ୍ତମାନ ରାଜ୍ୟରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଅଛନ୍ତି । ସେମାନଙ୍କ ଭିତରେ ଥିବା କ୍ରୀଡ଼ା ପ୍ରତିଭାର ଅନେ୍ଵଷଣ, ବିକାଶ ସହ କିଛି ପାରମ୍ପରିକ କ୍ରୀଡ଼ାର ପ୍ରସାର ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି । ୧୧୯ଟି ଜନଜାତି ଅଧ୍ୟୁଷିତ ବ୍ଲକରେ ଏହା ଅନୁଷ୍ଠିତ ହେବ। ୧୯୫ଟି ଅଣ ଜନଜାତି ବ୍ଲକଗୁଡ଼ିକରେ ମନୋନୟନ ପ୍ରକ୍ରିୟାରେ ଖେଳାଳୀମାନଙ୍କୁ ଚୟନ କରାଯିବ ଏବଂ ୩୦ଟି ଯାକ ଜିଲ୍ଲାରେ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୩୫ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇପାରିବେ ।

ଏକକ ପ୍ରତିଯୋଗିତାରେ ଦୌଡ଼କୁଦ ଓ ତୀରନ୍ଦାଜ ପ୍ରତିଯୋଗିତା ଏବଂ ଦଳଗତ କ୍ରୀଡ଼ାରେ ଫୁଟବଲ୍, ହକି, କବାଡ଼ି, ଖୋଖୋ ଓ ଭଲିବଲ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପ୍ରତି ଜିଲ୍ଲାରେ ପୁରସ୍କାର ଆକାରରେ ୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଦିଆଯିବ । ୩୦ଟି ଜିଲ୍ଲାରେ ସମୁଦାୟ ୧ କୋଟି ୮ ଲକ୍ଷ ୩୬ ହଜାର ଟଙ୍କା ପୁରସ୍କାର ଦିଆଯିବ । ସେହିପରି ରାଜ୍ୟ ସ୍ତରରେ ସମୁଦାୟ ୫,୫୫,୬୦୦ ଟଙ୍କା ପୁରସ୍କାର ଆକାରରେ ଦିଆଯିବ ।