ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ତ୍ୟାଗ କରିଦେଲେ ଏହି ଏୟାର ଟ୍ରାଫିକ କଣ୍ଟ୍ରୋଲର ! ଭୂମିକମ୍ପ ଆସୁଥିବା ଜାଣି ମଧ୍ୟ ପ୍ୟାସେଞ୍ଜର ଜେଟକୁ ନିର୍ଦ୍ଦେଶ ଦେଇ ଚାଲିଥିଲେ ।

38

ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ହୋଇଥିବା ୭.୫ ରିକ୍ଟର ତୀବ୍ରତାର ଭୂମିକମ୍ପ ଏବଂ ପରେ ହୋଇଥିବା ସୁନାମୀରେ ଇଣ୍ଡୋନେସିଆର ପାଲୁ ସହର ଦୋହଲି ଯାଇଛି । ଏଥିରେ ଅନେକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଇଣ୍ଡୋନେସିଆର ସୁଲାେଓ୍ଵସି ଦ୍ୱୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସୁନାମୀ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏତେ ସବୁ ଜୀବନ ଯିବା ପରେ ଜଣେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ଜୀବନକୁ ଖାତିର ନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଦେଇଥିବା ବଳିଦାନ ଏବେ ତାଙ୍କୁ ସାରା ବିଶ୍ୱରେ ହିରୋ ବନାଇ ପାରିଛି ।

ଭୂମିକମ୍ପ ଆସିଥିବା ଜାଣି ମଧ୍ୟ ନିଜ କର୍ତ୍ତବ୍ୟରୁ ହଟି ନଥିଲେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଏନ୍ଥୋନିୟସ । ଭୂମିକମ୍ପ ସୁଲାେଓ୍ଵସି ଦ୍ୱୀପରେ ମାଡ଼ ହୋଇ ସାରିଥିବା ସୂଚନା ପାଇ ମଧ୍ୟ ପାସେଞ୍ଜର ଜେଟ୍ କିପରି ସୁରକ୍ଷିତ ଭାବରେ ଉଡ଼ାଣ ଭରିବ ସେ ନେଇ ସେ ଲଗାତାର ନିର୍ଦ୍ଦେଶ ଦେଇ ଚାଲିଥିଲେ । ତାଙ୍କ ପାଖରେ ଉପସ୍ଥିତ ଥିବା ଲୋକ ଡ଼ରରେ ସେଠାରୁ ଚାଲି ଯାଇଥିବା ବେଳେ ସେ ନିଜ ଜୀବନକୁ ଖାତିର ନ କରି କଣ୍ଟ୍ରୋଲରେ ରୁମ୍ ରହି ନିର୍ଦ୍ଦେଶ ଦେଇଥିଲେ । ତାଙ୍କ କାମ ସରିବା ପରେ ବିମାନଟି ସୁରକ୍ଷିତ ଭାବରେ ଆକଶମାର୍ଗକୁ ଯିବା ପର‌୍ୟ୍ୟନ୍ତ ସେ କଣ୍ଟ୍ରୋଲ ରୁମ୍ରେ ରହି ଅପେକ୍ଷା କରିଥିଲେ । ସେ ସମୟରେ ତାଙ୍କ ପାଖରେ କେହି ନଥିଲେ ।

ଏଟିସି ଟାଓ୍ଵରର ଚତୁର୍ଥ ମହଲାରେ ରହି ଏନ୍ଥୋନିୟସ କାର‌୍ୟ୍ୟ କରୁଥିବା ବେଳେ ଭୂମିକମ୍ପରେ ଟାଓ୍ଵାରଟି ଭାଙ୍ଗୁଥିବା ଦେଖି ସେ ଚତୁର୍ଥ ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ । ଯାହାଦ୍ୱାରା ତାଙ୍କ ଶରୀରର ସବୁ ହାଡ଼ ଭାଙ୍ଗି ଯାଇଥିଲା । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ଶନିବାର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏନ୍ଥୋନିୟସ । ବିମାନ ଉଡ଼ାଣ ପାଇଁ ଅପେକ୍ଷା ନ କରି ସମୟ ପୂର୍ବରୁ ସେଠାରୁ ଏନ୍ଥୋନିୟସ ଚାଲି ଆସିଥିଲେ ସେ ଆଜି ବଞ୍ଚି ପାରିଥାନ୍ତେ ବୋଲି ଇଣ୍ଡୋନେସିଆର ଫ୍ଲାଇଟ୍ ନେଭିଗେସନ ସେବା ସଂସ୍ଥାନର କର୍ପୋରେଟ୍ ସେକ୍ରେଟାରୀ ଡ଼ିଡ଼ିଏଟ୍ କହିଛନ୍ତି । ବିମାନରେ ଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଆଜି ସେ ନିଜର ବଳିଦାନ ଦେଇଥିବା ବେଳେ ତାଙ୍କର ଏହି କାମକୁ ନେଇ ଚାରିଆଡ଼ୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କ କାମକୁ ପ୍ରଶଂସା କରାଯାଇଛି ।