ତାଜମହଲରେ ଝାଡୁ ମାରିବେ ଯୋଗୀ !

53

ଗତକିଛି ଦିନ ଧରି ପ୍ରେମର ପ୍ରତୀକ ତାଜମହଲକୁ ନେଇ ବିବାଦ ଦେଖା ଦେଇଛି । ଭାରତର ଇତିହାସ ଓ ସଂସ୍କୃତିରେ ତାଜମହଲର ମହତ୍ତ୍ୱକୁ ନେଇ ଉଠିଛି ପ୍ରଶ୍ନ । ବିଶ୍ୱ ଦରବାରରେ ଭାରତକୁ ପ୍ରସିଦ୍ଧି ଆଣି ଦେଇଥିବା ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲକୁ ନେଇ ରାଜନୀତି ଆରମ୍ଭ ହୋଇଛି । ପୂରା ଦେଶରେ ଏ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ତେବେ ଏଭଳି ସମୟରେ ୨୬ ଅକ୍ଟୋବରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ପରିଦର୍ଶନରେ ଯାଉଛନ୍ତି । ଏଠାରେ ଯୋଗୀ ପ୍ରାୟ ଅଧଘଣ୍ଟା ସମୟ ବିତାଇବେ । ଏହି ସମୟରେ ଶାହାଜାହାନ୍ ଓ ମୁମତାଜଙ୍କ ସମାଧିସ୍ଥଳ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ତାଜମହଲ ପରିଦର୍ଶନ ସମୟରେ ଯୋଗୀଙ୍କୁ ଅନ୍ୟ ଏକ ରୂପରେ ଦେଖିବାକୁ ମିଳିବ । ସର୍ବଦା ଅଗ୍ନିବର୍ଷୀ ଭାଷଣ ଦେଉଥିବା ଯୋଗୀ ହାତରେ ଝାଡୁ ଧରିଥିବାର ନଜରକୁ ଆସିବେ । ଏହି ସମୟରେ ଯୋଗୀ ପ୍ରାୟ ୫୦୦ ଜଣଙ୍କୁ ସାଥି କରି ତାଜମହଲର ପଶ୍ଚିମ ଦ୍ୱାରକୁ ସଫା କରିବାର କାର୍ଯ୍ୟକ୍ରମ ରହିଛି । କେବଳ ତାଜମହଲକୁ ଝାଡୁ ମାରି ସଫା କରିବେନି ବରଂ ଏହି ସପ୍ତମ ଆଶ୍ଚର୍ଯ୍ୟର ମହତ୍ତ୍ୱ ଉପରେ ମଧ୍ୟ ଭାଷଣ ଦେବେ । ଉତ୍ତରପ୍ରଦେଶ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ତାଜମହଲ ପରିଦର୍ଶନ କରିବେ । ଏହି ସମୟରେ ତାଜମହଲର ସୌନ୍ଦଯ୍ୟକରଣ ପାଇଁ ଅନେକ ଯୋଜନା ଘୋଷଣା କରି ପାରନ୍ତି ଯୋଗୀ ।

yogi-adityanath-taj-mahalତାଜମହଲକୁ ବିବାଦ ଲାଗି ରହିଥିବା ବେଳେ ଯୋଗୀ ତାଜମହଲ ପରିଦର୍ଶନ କରିବାକୁ ଘୋଷଣା କରି ଏହି ବିବାଦକୁ କିଛି ମାତ୍ରାରେ ପ୍ରଶମିତ କରିଥିଲେ । ଗତମାସରୁ ଏହି ବିବାଦର ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ପୁସ୍ତିକାରେ ପ୍ରଥମଥର ପାଇଁ ତାଜମହଲକୁ ସ୍ଥାନ ଦିଆ ଯାଇନଥିଲା । ଯୋଗୀ ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ସେତେବେଳେ ସମାଲୋଚନା କରାଯାଇ୍ଥିଲା । ତେବେ ଏହି ବିବାଦକୁ ଆହୁରି ଗରମ କରିଥିଲେ ବିଜେପି ବିଧାୟକ ସଙ୍ଗୀତ ସୋମ ।ସେ କହିଥିଲେ, ତାଜମହଲ ହେଉଛି ଭାରତୀୟ ସଂସ୍କୃତିର କଳାଦାଗ । ଏହାକୁ ଧୋକେବାଜ ମାନେ ନିର୍ମାଣ କରିଛନ୍ତି ।ତାଜମହଲକୁ ନିର୍ମାଣ କରିଥିବା ଶାହାଜାହାନ ତାଙ୍କ ବାପାଙ୍କୁ ବନ୍ଦୀକରି ରଖିଥିଲେ । ହିନ୍ଦୁମାନଙ୍କୁ ଘୃଣା କରିବା ସହ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଶାହାଜାହାନ । ଏହି ବ୍ୟକ୍ତିମାନଙ୍କୁ ଆମେ ଇତିହାସ ପୃଷ୍ଠାରେ ସ୍ଥାନିତ କରିବା ଦୁଃଖଦାୟକ ।ତେଣୁ ଏଭଳି ଇତିହାସକୁ ବଦଳାଇଦେବା ବୋଲି ସୋମ କହିଥିଲେ । ଏହାଛଡା ବିଜେପି ସାଂସଦ ବିନୟ କଟିଆର ତାଜମହଲକୁ ହିନ୍ଦୁ ମନ୍ଦିର ବୋଲି କହିଛନ୍ତି । ପୂର୍ବରୁ ତାଜମହଲ ଏକ ଶିବ ମନ୍ଦିର ଥିଲା ତେବେ ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରି ତାଜମହଲ କରାଯାଇଛି ବୋଲି ସେ ଦାବି କରିଥିଲେ ।

ଏସବୁ ଭିତରେ ତାଜମହଲକୁ ନେଇ ଲାଗି ରହିଥିବା ବିବାଦରେ ମୁହଁ ଖୋଲିଥିଲେ ଯୋଗୀ । ସେ ତାଜମହଲକୁ ଭାରତର ଗର୍ବ ବୋଲି ଅଭିହିତ କରିଥିଲେ । ଏହା ଭାରତୀୟ ଲୋକଙ୍କର ଝାଳ ଓ ରକ୍ତରେ ନିର୍ମିତ । କିନ୍ତୁ ଗୋଟିଏ ବର୍ଷ ପୂର୍ବେ ଯୋଗୀ ତାଜମହଲକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ବିହାରର ଏକ ସଭାରେ ସେ କହିଥିଲେ, ତାଜମହଲ ଭାରତୀୟ ସଂସ୍କୃତିର ପ୍ରତୀକ ନୁହେଁ । ତା ଛଡା ବିଦେଶୀ ଅତିଥିଙ୍କୁ ତାଜମହଲର ପ୍ରତିକୃତି ଭେଟ ଦିଆଯିବା ବଦଳରେ ଭଗବତ୍ ଗୀତା ଭେଟ ଦେବାକୁ ସେ କହିଥିଲେ ।