ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନାୟକଗିରି ! ଅଚନାକ ଥାନାରେ ପହଂଚି କଲେ ସ୍ଥିତି ନିରୀକ୍ଷଣ

88

କନକ ବ୍ୟୁରୋ : ଯୋଗୀଙ୍କ ନାୟକଗିରି । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆକ୍ସନରେ ଯୋଗୀ ଆଦିତ୍ୟନାଥ । ଘନ ଘନ ବୈଠକ ସହ ବିଭିନ୍ନ ସ୍ଥାନରେ ଅଚାନକ ପହଂଚି ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଆଜି ହଠାତ୍ ହଜରତଗଂଜ ଥାନାରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଥାନାରେ ପହଂଚି ସ୍ୱଚ୍ଛତା ଓ ଆଇନଶୃଙ୍ଖଳା ପରିସ୍ଥିତିର ଯାଂଚ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଏ ସଂପର୍କରେ ସେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ସଜାଡିବାକୁ ପୂରା ଦମରେ ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଗତକାଲି ଯୋଗୀ ଆଦିତ୍ୟ ନାଥ ଉପମୁଖ୍ୟମନ୍ତ୍ରୀଙ୍କ ସହ ସଚିବାଳୟ ବୁଲିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ଏକ ଚରମ ବାଣୀ ଶୁଣାଇଥିଲେ । ବେଆଇନ କଂସେଇ ଖାନା ବନ୍ଦ, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଆକ୍ସନ ପ୍ଲାନ ମାଗିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଆଉ ଏକ ଶକ୍ତ ବାଣ ଛାଡିଥିଲେ, କହିଥିଲେ ସରକାରୀ ବାବୁମାନେ ଅଫିସ କାମ କରିବା ସମୟରେ ପାନମସଲା, ଗୁଟଖା ଭଳି କୌଣସି ମାଦକ ଦ୍ରବ୍ୟ ସେବନ କରିପାରିବେ ନାହିଁ । ଆଉ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପରୋକ୍ଷରେ ଶୁଣାଇ ଦେଇଥିଲେ ଯୋଗୀ ।