ସମୟ ଗଡୁଛି, ବିବାଦ ବଢୁଛି ! ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ଉପରେ ବଢୁଛି ଚାପ ।

101

କନକ ବ୍ୟୁରୋ : ଅଯୋଧ୍ୟାକୁ ନେଇ ବିଜେପିର ବଡ ବୟାନ । ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ୩ମାସ ଘୁଂଚାଇ ଦିଆଯାଇଥିବା ବେଳେ ମନ୍ଦିର ନିର୍ମାଣ ନେଇ ବିଜେପି ଉପରେ ଚାପ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଅଯୋଧ୍ୟା ବାସୀ ଅପେକ୍ଷା କରନ୍ତୁ, ଦୀପାବଳି ଅବସରରେ ତାଙ୍କ ପାଇଁ ଖୁସି ଖବର ଅଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ । ସେପଟେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଅଯୋଧ୍ୟାରେ ଭଗବାନ ରାମଙ୍କ ବିରାଟ ମୂର୍ତି ନିର୍ମାଣ ନେଇ ଅଯୋଧ୍ୟାବାସୀଙ୍କୁ ଯୋଗୀ ସରକାର ଭେଟି ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ବିବାଦୀୟ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ୩ମାସ ପର୍ଯ୍ୟନ୍ତ ଶୁଣାଣି ଘୁଂଚାଇ ଦେଇଥିବା ବେଳେ ଏହି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । ସମୟ ଯେତିକି ଗଡୁଛି ରାମ ମନ୍ଦିର ନିର୍ମାଣର ପ୍ରତିଶୃତି ଦେଇ ଶାସନକୁ ଆସିଥିବା ବିଜେପି ଉପରେ ଚାପ ସେତିକି ବଢୁଛି । ଏପରି ସ୍ଥିତିରେ ଅଯୋଧ୍ୟା ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେ । ଦୀପାବଳିରେ କିଛି ଖୁସି ଖବର ଆସିପାରେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ବିଜେପି ନେତା କହିଛନ୍ତି । 

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବଡ ବୟାନ ଦେଇଥିଲା ଆରଏସଏସ । ଆବଶ୍ୟକ ପଡିଲେ ୧୯୯୨ପରି ଆନ୍ଦୋଳନ କରିବାକୁ ପଡିପାରେ ବୋଲି  ସଙ୍କେତ ଦେଇଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମଧ୍ୟରେ ଏକ ସାକ୍ଷାତ ପରେ ଆରଏସଏସ ମହାସଚିବ ଭୈୟାଜୀ ଯୋଶୀ କହିଛନ୍ତି ଯେ, ଆବଶ୍ୟକ ପଡିଲେ ୧୯୯୨ପରି ଆନ୍ଦୋଳନ କରାଯିବ । କୋଟି କୋଟି ଜନତାଙ୍କ ସହ ଯଡିତ ରାମ ମନ୍ଦିର ପ୍ରସଙ୍ଗ ଯଦି ସୁପ୍ରିମକୋର୍ଟଙ୍କ ଅଗ୍ରାଧିକାର ତାଲିକାରେ ନାହିଁ, ତାହା ହେଲେ କଣ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ଦଳର ପ୍ରସଙ୍ଗ ନୁହେଁ ବୋଲି କହିଛି କଂଗ୍ରେସ ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବିଳମ୍ବ ହେଉଥିବା ବେଳେ ଦୀପାବଳି ଅବସରରେ ଅଯୋଧ୍ୟାବାସୀଙ୍କୁ ଏକ ବଡ ଉପହାର ଦେବେ ଯୋଗୀ ସରକାର । ଦୀପାବଳିରେ ମର୍ଯ୍ୟାଦା ପୁରୁଷୋତମ ରାମଙ୍କ ଏକ ବିଶାଳ ମୂର୍ତି ସ୍ଥାପନ ନେଇ ଘୋଷଣା କରିବା ପାଇଁ ପ୍ରସ୍ତୁତି କରିଛନ୍ତି ସରକାର । ସର୍ଯ୍ୟୁ ନଦୀ ତଟରେ ୧୦୮ମିଟର ଉଚ୍ଚର ରାମ ମୂର୍ତି ନିମାଣ ହେବାର ଯୋଜନା ରହିଥିବା ସୂଚନା ମିଳିଛି । ଏହାର ୪ଫୁଟ ଉଚ୍ଚତାର ଏକ ମଡେଲ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଦେଖା ଯାଇଥିବା ସୂଚନା ରହିଛି । ତେବେ ଏହି ଦୀପାବଳିରେ ଭେଟି ଦେବା ପାଇଁ ୩୦ଫୁଟର ରାମଙ୍କ ମୂର୍ତି ଓ ୧୬ଫୁଟର ହନୁମାନଙ୍କ ମୂର୍ତି ନିର୍ମାଣ ହେଉଛି ।