ହଟିବ ଆମ୍ବେଦକରଙ୍କ ପ୍ରତିମା, ଲାଗିବ ଦୀନଦୟାଲଙ୍କ ପ୍ରତିମୂର୍ତ୍ତି ! ଯୋଗୀ ସରକାରଙ୍କ ନିଷ୍ପତି ପଡିପାରେ ମହଙ୍ଗା ।

32

ଉତ୍ତର ପ୍ରଦେଶର ଯୋଗୀ  ଆଦିତ୍ୟନାଥ ସରକାର ଏକ ବିବାଦୀୟ ନିଷ୍ପତି  ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, ସମ୍ବିଧାନ ପ୍ରଣୟତା ଆମ୍ବେଦକରଙ୍କ ପ୍ରତିମା ହଟାଇ ଭାରତୀୟ ଜନସଂଘର ନାୟକ ପଣ୍ଡିତ ଦୀନଦୟାଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସୂଚନା ମୁତାବକ ଆଗ୍ରା ଜିଲ୍ଲା ନଗର ନିଗମ ପରିସରରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦୁଇଟି ପ୍ରତିମା ରହିଛି । ଏଥି ମଧ୍ୟରୁ ଗୋଟିଏ ପ୍ରତିମୂର୍ତ୍ତିକୁ ହଟାଇ ଦୀନଦୟାଲଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଗ୍ରା ବିଧାୟକ ଜଗନ ପ୍ରସାଦ ଗର୍ଗ ଚିଠି ଲେଖିଥିଲେ ।

ତେବେ ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗ୍ରା ଜିଲ୍ଲା ନଗର ନିଗମ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିବା ସୂଚନା ମଳିଛି । ବିଶେଷ କରି ଆଗ୍ରାର ଦଳିତ କର୍ମକର୍ତ୍ତା ମାନେ ସ୍ଥାନୀୟ ବିଧାୟକଙ୍କ ଚିଠିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ରତନପୁରା ଦଳିତ ସୁରକ୍ଷା ପରିଷଦର ମୁଖ୍ୟ ଧର୍ମବୀର ସିଂହ କହିଛନ୍ତି  ଯେ ଯଦି ସରକାର ସମ୍ବିଧାନର ପ୍ରଣୟତାଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ଚିନ୍ତା ବି କରନ୍ତି ତାହା ହେଲେ ଦଳିତମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବେ ।

ଧର୍ମବୀର ସିଂହ କହିଛନ୍ତି ଯଦି ବିଧାୟକଙ୍କୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବଦଳାଇବାର ଥିଲା ତେବେ ସେ ୫ଥର ନିର୍ବାଚନ କାଳରେ କରିପାରିଥାନ୍ତେ । ଏବେ କଣ ପାଇଁ ଏପରି ଆପତ୍ତି କରୁଛନ୍ତି ଯାହାଦ୍ୱାରା ଜନ ଅସନ୍ତୋଷ ବଢ଼ିବ । ତେବେ ବିଜେପି ବିଧାୟକ ମଧ୍ୟ ଏହାର ପ୍ରତି ଉତ୍ତରରେ କହିଛନ୍ତି ଯେ ଦୀନଦୟାଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା କାହାକୁ ଆଘାତ କରିବା ନୁହେଁ । ବରଂ ପଣ୍ଡିତ ଦୀନଦୟାଲ ମଧ୍ୟ ଦଳିତମାନଙ୍କ ପାଇଁ ସଂଗ୍ରାମ କରିଥିଲେ । ତେଣୁ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାରେ କିଛି ଅସୁବିଧା ହେବ ନାହିଁ । ହେଲେ ଦଳିତ ମାନେ ନିଜ ଜିଦରେ ଅଟଳ ଅଛନ୍ତି ।