ଯୋଗୀଙ୍କ ଗୃହ ପ୍ରବେଶ ! ମୁଖ୍ୟମନ୍ତ୍ରୀ ବାସଭବନରେ ପାଦ ଥାପିଲେ ଯୋଗୀ ଆଦିତ୍ୟନାଥ

96

କନକ ବ୍ୟୁରୋ : ଉତର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନୂତନ ଗୃହ ପ୍ରବେଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଲକ୍ଷ୍ନୌର କାଳିଦାସ ମାର୍ଗସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଯୋଗୀ ଆଦିତ୍ୟନାଥ ପ୍ରଥମ କରି ପାଦ ଥାପିଛନ୍ତି । କାଳିଦାସ ମାର୍ଗ ଯୋଗୀଙ୍କ ନୂଆ ଠିକଣା ହୋଇଛି । ଯୋଗୀଙ୍କ ପୁରୋହିତଙ୍କ କହିବା ଅନୁଯାୟୀ ସେ ଆଜି ସକାଳ ଶୁଭ ମୁହୂର୍ତରେ ଗୃହ ପ୍ରବେଶ କରିଛନ୍ତି ।

ସୂଚନା ଅନୁଯାୟୀ ଶୁଭ ନବରାତ୍ରୀ ଅବସରରେ ସକାଳୁ କଳସ ପୂଜା କରାଯାଇଥିଲା । ଭୋର ୪ଟା ୩୦ରୁ ୬ଟା ୩୦ଯାଏ ପୂଜା କରାଯାଇଥିଲା । ଗୋରଖନାଥ ମନ୍ଦିରର ପୂଜକ ଏହି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରୁଛନ୍ତି । ଗୃହ ପ୍ରବେଶ ପରେ ଆଜି ସନ୍ଧ୍ୟାରେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଫଳ ଆହାରରେ ଆପ୍ୟାୟିତ କରିବେ ଯୋଗୀ । ପାଖାପାଖି ଦେଢ଼ଶହ ଲୋକଙ୍କ ପାଇଁ ଯୋଗୀ ଫଳାହାରର ବ୍ୟବସ୍ଥା କରିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପ୍ରକୋଷ୍ଠରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କ ସମୟର ସବୁ ଫର୍ଣ୍ଣିଚରକୁ ବଦଳାଇ ଦିଆଯାଇଛି । ଦାମୀ ସୋଫା ବଦଳରେ ଭୂମି ଉପରେ ବସି ବୈଠକ କରିବେ ଯୋଗୀ । ସେହିପରି ଶୋଇବା ଘରର ଦାମୀ ବିଛଣାକୁ ହଟାଇ ସେହିସ୍ଥାନରେ କାଠ ନିର୍ମିତ ଖଟକୁ ରଖାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ଭବନରେ ବ୍ୟବହୃତ ସମସ୍ତ ବିଦେଶୀ ପାତ୍ରକୁ ହଟାଇଦେଇଛନ୍ତି ଯୋଗୀ । ଏହା ବଦଳରେ କାଂସ୍ୟ ପାତ୍ରର ବ୍ୟବହାର କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।