ନିର୍ବାଚନ କମିଶନଙ୍କ କଟକଣା ପରେ ବଜରଙ୍ଗବାଲୀଙ୍କ ଶରଣରେ ଯୋଗୀ । ଲକ୍ଷ୍ନୌର ଏକ ହନୁମାନ ମନ୍ଦିରରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଚାଳିଶା ପାଠ

ବିବାଦୀୟ ବୟାନ ପାଇଁ ଯୋଗୀ, ମାୟାବତୀ, ଆଜମ ଖାନ ଓ ମାନେକା ଗାନ୍ଧିଙ୍କ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି ଇସି

140

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନଙ୍କ କଟକଣା ପରେ ସେ ବଜରଙ୍ଗବାଲୀଙ୍କ ଶରଣ ପଶିଛନ୍ତି । ଆଜି ସକାଳ ୯ଟାରେ ଲକ୍ଷ୍ନୌସ୍ଥିତ ହନୁମାନ ମନ୍ଦିର ଯାଇ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି ଯୋଗୀ । ସେ ମନ୍ଦିରରେ ୧୦ରୁ ୧୫ମିନିଟ୍ ରହି ପୂଜାର୍ଚ୍ଚନା ସହ ହନୁମାନ ଚାଳିଶା ପାଠ କରିଥିଲେ । ତେବେ କାହା ସହ କିଛି କଥା ନହୋଇ ଚାଲିଯାଇଥିଲେ ।

ସାମ୍ପ୍ରଦାୟିକତାବାଦକୁ ଉସୁକେଇବା ଭଳି ଭାଷଣ ହୋଇଥିବାରୁ ଯୋଗୀଙ୍କୁ ଦଣ୍ଡିତ କରି ତାଙ୍କ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ସମ୍ବିଧାନର ଧାରା ୩୨୪ ଅନୁସାରେ ମଡେଲ କୋଡ ଅଫ କଣ୍ଡକ୍ଟକୁ ମାନିନଥିବା ଦର୍ଶାଇ ନିର୍ବାଚନ କମିଶନ ଏହି କଡା ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୯ ତାରିଖରେ ମିରଟରେ ଏକ ର‌୍ୟାଲିକୁ ସମ୍ବୋଧନ କରି ଯୋଗୀ ଆଦିତ୍ୟ ନାଥ ମୁସଲିମ ଲିଗ ପାଇଁ ଭାଇରସ ଶବ୍ଦ ବ୍ୟବହାର କରିଥିଲେ । ଏଥିସହ କଂଗ୍ରେସକୁ ଆକ୍ଷେପ କରି ଅଲି ବଜରଙ୍ଗ ବାଲି ଶବ୍ଦର ମଧ୍ୟ ବ୍ୟବହାର କରିଥିଲେ ।

ଏହାକୁ କେନ୍ଦ୍ରକରି ନିର୍ବାଚନ କମିଶନ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ବଜରଙ୍ଗବାଲୀଙ୍କୁ ନେଇ ଯୋଗୀଙ୍କ ଭାଷଣ ଦେବାକୁ କେନ୍ଦ୍ର କରି ବିଜେପିର ଏହି ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂ ଉପରେ ୩ଦିନ ପାଇଁ କଟକଣା ଲଗାଇଛନ୍ତି ନିବାଚନ କମିଶନ । ଆଜି ସକାଳ ୬ଟାରୁ ଆସନ୍ତା ୭୨ ଘଂଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେନି ଯୋଗୀ ।