ବିଜେପି ଫୋକସରେ ଓଡିଶା: ଆଜି ଓଡିଶା ଆସୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୁଇଟି ସମାବେଶରେ ଦେବେ ଉଦବୋଧନ

136

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଜନତାଙ୍କ ନିକଟତର ହେବାକୁ ଚାଲିଛି ଅଙ୍କକଷା । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିବା ବେଳେ ଆଜି ଆସୁଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥା ଏ ସରକାର ବଦଳିବା ଦରକାର ନାରା ଦେଇ ବିଜେପି ୧୪୭ ବିଧାନସଭା ଆସନରେ ସମାବେଶ କରିବାକୁ ଯାଉଛି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ମାସରେ  କୋରାପୁଟ ଗସ୍ତରେ ଆସୁଛନ୍ତି । ସାଙ୍ଗରେ ପ୍ରିୟଙ୍କାଙ୍କୁ ଆଣିବା ପାଇଁ ଚାଲିଛି ବିଚାର ବିମର୍ଶ ।

ଆଜି ଓଡିଶା ଆସୁଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୨ଟି ଜନସଭାରେ ଉଦବୋଧନ ଦେବେ ବିଜେପିର ଏହି ଷ୍ଟାର ପ୍ରଚାରକ । କଳାହାଣ୍ଡି ସଦର ମହୁକମା ଭବାନୀପାଟଣା ଏବଂ ଖୋର୍ଦ୍ଧା ନାଚୁଣି ଠାରେ ଦୁଇଟି ମେଗାରାଲିରେ ସାମିଲ ହେବେ ଯୋଗୀ ଆଦିତ୍ୟନାଥ । ଆସନ୍ତା ନିର୍ବାଚନରେ ବିଜେପିର ସ୍ଥିତିକୁ ଆହୁରି ଦୃଢ କରିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିବେ ଯୋଗୀ ଆଦିତ୍ୟନାଥ ।

କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭାବନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣା କାର୍ଯ୍ୟକ୍ରମ ସାରି ଖୋର୍ଦ୍ଧା ନାଚୁଣିରେ ଆୟୋଜିତ ବିଶାଳ ରାଲିରେ ସାମିଲ ହୋଇ କର୍ମୀଙ୍କୁ ଉତ୍ସାହ ବଢାଇବେ ଯୁପି ମୁଖ୍ୟମନ୍ତ୍ରୀ ।

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସେ ତଳେ କରିଥିବା ସମାବେଶରେ ନବୀନଙ୍କ ପ୍ରତି ନରମ ଭାବ ପୋଷଣ କରିଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ରାଜନାଥ ସିଂହ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତି କଡା ଭାଷା ପ୍ରୟୋଗ କରିଥିଲେ । ତେବେ ଆଜିର ସମାବେଶରେ ଯୋଗୀ ଆଦିତ୍ୟନାଥ ନରମ ରହିବେ କି ଗରମ ଦେଖାଇବେ ତାହା ଉପରେ ଏବେ ନଜର ରହିଛି ।