ଆଗ୍ରାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ! ତାଜମହଲ ଭ୍ରମଣ ସହ ସଫେଇ ଅଭିଯାନରେ ହେଲେ ସାମିଲ

37

କନକ ବ୍ୟୁରୋ : ତାଜମହଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଜମହଲକୁ ନେଇ ଗତ କିଛି ଦିନ ଅନେକ ବିବାଦ ଲାଗି ରହିଥିବାବେଳେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି । ଆଗ୍ରାରେ ପହଂଚିବା ପରେ ତାଜମହଲରେ ପହଂଚିଛନ୍ତି ଯୋଗୀ ଆଦିତ୍ୟନାଥ । ସେଠାରେ ସେ ବେଶ କିଛି ସମୟ ରହିଛନ୍ତି । ଏହାସହ ତାଜମହଲ ଆଖପାଖ ଅଂଚଳରେ ସଫେଇ ଅଭିଯାନରେ ବି ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ ଝାଡ଼ୁ ଧରି ଅଳିଆ ସଫା କରିଛନ୍ତି ଯୋଗୀ । ଆଗ୍ରା ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଜମହଲରୁ ଆଗ୍ରା ଦୁର୍ଗ ପର୍ଯ୍ୟନ୍ତ ପର୍ଯ୍ୟଟକ ମାର୍ଗର ଶିଳାନ୍ୟାସ ମଧ୍ୟ କରିବେ ୟୁପି ମୁଖ୍ୟମନ୍ତ୍ରୀ । ଆଗ୍ରାରେ ପର୍ଯ୍ୟଟନର ବିକାଶ ପାଇଁ ଉତ୍ତରପ୍ରଦେଶ ସରକାର ୩୭୦କୋଟି ଟଙ୍କା ଖର୍ଚ୍ଚ କରିବେ ।

ପର୍ଯ୍ୟଟନ ବିଭାଗ ପୁସ୍ତକରେ ତାଜମହଲକୁ ସ୍ଥାନ ନମିଳିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ବିଜେପି ବିଧାୟକ ସଙ୍ଗୀତ ସୋମ କହିଥିଲେ ଯେ, ତାଜମହଲ ବଳାକ୍ରାରୀଙ୍କ ଦ୍ୱାରା ନିର୍ମିତ ହୋଇଛି ଏବଂ ଏହାକୁ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ଦେବା ଉଚିତ ନୁହେଁ ବୋଲି । ସେପଟେ ଗତ ସପ୍ତାହରେ ହିନ୍ଦୁ ବାହୀନିର ଯୁବ କର୍ମୀ ତାଜମହଲରେ ଶିବ ଚାଳିଶା ପାଠ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ପୂର୍ବରୁ ସେଠାରେ ଶିବ ମନ୍ଦିର ଥିଲା ଏବଂ ସେଠାରେ ଶିବ ଚାଳିଶା ପାଠ କରିବାରେ କୌଣସି ଆପତି ନାହିଁ ବୋଲି ବିଜେପି ରାଜ୍ୟସଭା ବିନୟ କଟିୟାର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ଲାଗିରହିଛି । ସେପଟେ ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୁରୁତ୍ୱ ରହିଛି ।