୯ଟି ପଦକ୍ଷେପ ୯ଟି ମାଇଲଖୁଣ୍ଟ ! ଚର୍ଚ୍ଚାରେ ଯୋଗୀଙ୍କ ଚର୍ଚ୍ଚିତ ନିଷ୍ପତି . . ଯାହା ବଳିଷ୍ଠ ନେତୃତ୍ୱର ଦେଇଛି ପ୍ରମାଣ

19

ଉତ୍ତରପ୍ରଦେଶର ୨୧ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଦେଶର ସବୁଠାରୁ ବଡ଼ ପ୍ରଦେଶର ଦାୟିତ୍ୱ ନେବାପରେ ବିଜେପି ଦୀର୍ଘ ୧୫ ବର୍ଷ ପରେ ସେଠାରେ ସରକାର ଗଢ଼ିବାରେ ସଫଳ ହୋଇଛି । ଗୋରଖପୁରର ବାବା ତଥା ପାଞ୍ଚଥର ବିଧାୟକ ସାଜିଥିବା ଯୋଗୀ ‘ସବକା ସାଥ୍ ସବକା ବିକାଶ’ ମନ୍ତ୍ର ନେଇ ନିର୍ବାଚନ ପରେ କାମ କରୁଥିବା ବାସ୍ତବିକ୍‌ ଦେଖିବାକୁ ମିଳୁଛି।

ଗେରୁଆ ବସ୍ତ୍ର ପିନ୍ଧି ନିଜର ବଳିଷ୍ଠ ନେତୃତ୍ୱର ମାତ୍ର କେଇଦିନ ମଧ୍ୟରେ ପ୍ରମାଣ ଦେଇଛନ୍ତି ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ହେବାର ମାତ୍ର ଅଳ୍ପ ଦିନ ଭିତରେ ଅନେକ ଚର୍ଚ୍ଚିତ ନିଷ୍ପତି ନେଇ ଚର୍ଚ୍ଚାରେ ଯୋଗୀ ଆଦିତ୍ୟନାଥ  । ନାୟକ ସିନେମାର ଅନିଲ୍ କପୁରଙ୍କ ପରି ଅନେକ ଯୋଜନା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକପ୍ରିୟ ହୋଇପାରିଛନ୍ତି ।

ତେବେ ଜାଣନ୍ତୁ ଯୋଗୀ ଉଠାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ

ଆଣ୍ଟି ରୋମିଓ ସ୍କ୍ୱାଡ଼ :

ଯୋଗୀ ଉଠାଇଥିବା ପ୍ରଥମ ପଦକ୍ଷେପ ହେଉଛି ଆଣ୍ଟି ରୋମିଓ ସ୍କ୍ୱାଡ଼ । ନିର୍ବାଚନ ଲଢ଼ିବା ବେଳେ କରିଥିବା ପ୍ରତିଶ୍ରୃତି ମୁତାବକ ଉତ୍ତରପ୍ରଦେଶରେ ବଢ଼ୁଥିବା ନାରୀ ଅସଦାଚରଣ ମାମଲାଗୁଡ଼ିକୁ ରୋକିବା ପାଇଁ ପ୍ରୟାସ କରିଥିଲେ।

କୃଷି ଋଣ ଛାଡ଼ :

ନିଜର ପ୍ରଥମ କ୍ୟାବିନେଟ ବୈଠକ ପରେ, ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ କୃଷକଙ୍କ ଋଣ ଛାଡ଼ କରିଥିଲା । ମୋଟ ୩୬ ହଜାର ୩୫୯ କୋଟି ଟଙ୍କାର ଋଣକୁ ସରକାର ଛାଡ଼ କରିଦେଇଥିଲେ । ଯାହାଫଳରେ ୯୪ ଲକ୍ଷ କୋଟି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଚାଷୀ ଏଥିରୁ ଉପକୃତ ହୋଇଛନ୍ତି । ଏହା ମଧ୍ୟ ବିଜେପି ସରକାରଙ୍କ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୃତି ରହିଥିଲା।

ଅବୈଧ କଂସେଇଖାନା ଉପରେ ରୋକ :

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବାର ଗୋଟିଏ ଦିନ ପରେ ରାଜ୍ୟରେ ଥିବା ଅବୈଧ କଂସେଇଖାନା ଉପରେ ଯୋଗୀ ରୋକ ଲଗାଇଥିଲେ । ଏହା ଫଳରେ ରାଜ୍ୟର ଅନେକ କଂସେଇଖାନା ମାଲିକ ପ୍ରଭାବିତ ହୋଇଥିଲେ।

ସମସ୍ତଙ୍କ ପାଇଁ ବିଜୁଳି ସୁବିଧା :

ନିଜର ଗୋଟିଏ କ୍ୟାବିନେଟ ବୈଠକ ସମୟରେ ଯୋଗୀ ପ୍ରତି ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକୁ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ‘ସମସ୍ତଙ୍କ ପାଇଁ ବିଜୁଳି’କୁ ନେଇ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ । ୨୦୧୮ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଇବା ସହ ସାଧାରଣ ଲୋକଙ୍କ ବିଜୁଳି ସମସ୍ୟା ପାଇଁ ଏକ ହେଲ୍ପଲାଇନ୍‌ ନମ୍ୱର ୧୯୧୧ ଦିଆଯାଇଥିଲା।

ସ୍ୱଚ୍ଛ ଉତ୍ତରପ୍ରଦେଶ :

ସ୍ୱଚ୍ଛ ସର୍ବକ୍ଷଣରେ ଉତ୍ତରପ୍ରଦେଶର ଖରାପ ସ୍ଥାନ ଯୋଗୀଙ୍କୁ ମର୍ମାହତ କରିଥିଲା । ଯାହାକୁ ନେଇ ସେ ଝାଡ଼ୁ ଧରି ଲକ୍ଷ୍ନୌର ବାଲୁ ଅଡ଼୍ଡ଼ା ମାଲିନ୍‌ ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ। ଏହା ସହ ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନଗୁଡ଼ିକୁ ସଫା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ସହ ସରକାରୀ ଅଫିସ୍‌ରେ ପାନ ଏବଂ ଗୁଟକା ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ ଓ ଡ଼ାକ୍ତରଖାନାରେ ମଧ୍ୟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅବୈଧ ଖଣିଚାଲାଣ ଉପରେ ରୋକ :

ରାଜ୍ୟରେ ଅବୈଧ ଖଣିଜ ପଦାର୍ଥ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆଦିତ୍ୟନାଥ ସରକାରୀସ୍ତରରେ କେବଳ ଇ ଟେଣ୍ଡରିଙ୍ଗ ମାଧ୍ୟମରେ ଚୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନୂତନ ଭାବେ ଖଣିଜ ନୀତି ପ୍ରଣୟନ କରିବାକୁ ମନ୍ତ୍ରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି।

ଅନ୍ନପୂର୍ଣ୍ଣା ଯୋଜନା :

ଯୋଗୀ ସରକାର ଗରିବ ମାନଙ୍କୁ ମାତ୍ର ୫ଟଙ୍କାରେ ଅନ୍ନପୂର୍ଣ୍ଣା ଭେଜନାଳୟ ମାଧ୍ୟମରେ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛି । ଯୋଗୀଙ୍କ ନୂଆ ଯୋଜନା ଅନୁଯାୟୀ ୩ ଟଙ୍କାରେ ଜଳଖିଆ ଏବଂ ୫ ଟଙ୍କାରେ ମିଳିବ ମିଲ୍ ö ତେବେ କେହି ଖାଲି ପେଟରେ ଶୋଇବେ ନାହିଁ ଉଦ୍ଦେଶ୍ୟ ରଖି ଏହାକୁ ଆରମ୍ଭ କରାଯାଇଛି ।

ପ୍ରଶାସନିକ ଅଧିକାରୀଙ୍କ ବଦଳି :

ଗୁରୁବାର ୟୁପି ସରକାର ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ମୋଟ ୨୫ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । ଏପ୍ରିଲ ମାସରେ ମଧ୍ୟ ୮୪ଜଣ ଅଫିସରଙ୍କ ସହ ୩୭ଜଣ ଜିଲ୍ଲାପାଳଙ୍କୁ ବଦଳି କରାଯାଇ ସେମାନଙ୍କ ସ୍ଥାନରେ ୫୪ଜଣ ଆଇପିଏସ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସ୍କୁଲ ବ୍ୟାଗ୍‌ ବଣ୍ଟନ :

ସମସ୍ତଙ୍କୁ ଚକିତ କରିବା ପରି ଯୋଗୀ ଆଦିତ୍ୟନାଥ ସ୍କୁଲ ଗୁଡ଼ିକରେ ଅଖିଳେଶ ଯାଦବଙ୍କ ଫଟୋଥିବା ବ୍ୟାଗ୍‌ ବଣ୍ଟନ ଉପରେ ରୋକ ନଲଗାଇ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ପ୍ରତିନ୍ଦ୍ୱନ୍ଦୀ ହେଲେ ମଧ୍ୟ ଗରିବଙ୍କ ଟଙ୍କାକୁ ବଞ୍ଚାଇ ୩୫ହଜାର ସ୍କୁଲ ବ୍ୟାଗ ଗୁଡ଼ିକୁ ବାଣ୍ଟିଛନ୍ତି ଯୋଗୀ । ସମାଜବାଦୀ ପାର୍ଟି ଏପରି ୧.୮କୋଟି ବ୍ୟାଗ୍‌ ତିଆରି କରିଥିବା ବେଳେ ସେଥିରୁ ୩୫ ହଜାର ବଳି ଯାଇଥିଲା।