ଚର୍ଚ୍ଚାରେ ଆଦିତ୍ୟନାଥଙ୍କ ରାଲି ! ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ମମତା ଦେଲେନି ଅନୁମତି, ଫୋନରେ ଜନସଭାକୁ ସମ୍ବୋଧନ କଲେ ଯୋଗୀ ଆଦିତ୍ୟନାଥ

351

ପୂର୍ବରୁ ଯେତେ ବି ସବୁ ନିର୍ବାଚନ ରାଲି ହୋଇଛି ସେଥିମଧ୍ୟରୁ ରେକର୍ଡ ଭଙ୍ଗ କରିଛି ଆଜି ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାରେ ହୋଇଥିବା ବିଜେପିର ନିର୍ବାଚନ ରାଲି। ବିଭିନ୍ନ ଦଳ ପକ୍ଷରୁ ହେଉଥିବା ନିର୍ବାଚନ ରାଲି ଭିତରୁ ପଶ୍ଚିମବଙ୍ଗର ଏହି ରାଲି ସ୍ୱତନ୍ତ୍ର ନିଆରା ଢଙ୍ଗରେ ହୋଇଛି।
ହେଲିକପ୍ଟର ଲ୍ୟାଣ୍ଡିଂ ଅନୁମତି ନ ମିଳିବାରୁ ଟେଲିଫୋନ ଯୋଗେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଶରୀରରେ ନୁହେଁ, ବରଂ ରାଲିଠାରୁ ଅନେକ କୋଷ ଦୂରରେ ଥାଇ ଟେଲିଫୋନ୍ ଜରିଆରେ ରାଲିକୁ ସମ୍ବୋଧିତ କରିଛନ୍ତି ବିଜେପିର ଅନ୍ୟତମ ଟାଣୁଆ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ପରିସ୍ଥିତିରେ ଓ କାହିଁକି ଯୋଗୀ ଆଦିତ୍ୟନାଥ ଏପରି କଲେ ତାହାକୁ ନେଇ ଏବେ ରାଜନୀତି ମହଲରେ ହଇଚଇ ସୃଷ୍ଟି ହୋଇଛି।

ଯୋଗୀ ସମ୍ବୋଧନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ସେ ମମତାଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ମମତା ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି।


ଯୋଗୀଙ୍କର ଏପରି ଫୋନ୍ ଜରିଆରେ ରାଲିକୁ ସମ୍ବୋଧନ କରିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗରେ ହେବାକୁ ଥିବା ରାଲିକୁ ସରକାରୀ ଅନୁମତି ମିଳିନଥିଲା। ଏଥିପାଇଁ ଯୋଗୀଙ୍କ ହେଲିକପ୍ଟରକୁ ପଶ୍ଚିମବଙ୍ଗରେ ଲ୍ୟାଣ୍ଡିଂ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା। ଯୋଗୀଙ୍କ ହେଲିପକପ୍ଟର ଲ୍ୟାଣ୍ଡିଂ କରିବାରୁ ବଞ୍ଚିତ ହେବାରୁ ସେ ଫୋନ୍ ଯୋଗେ ସମ୍ବୋଧନ କରିବାର ନିଷ୍ପତ୍ତି ନେଇଥିଲେ।

ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ମଧ୍ୟ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନଥିଲେ । ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ଯେଉଁ ହେଲିପ୍ୟାଡରେ ଅମିତଙ୍କ ହେଲିକପ୍ଟର ଓହ୍ଲାଇବାକୁ ଚାହୁଁଥିଲେ ସେଠାରେ ଏଭଳି ସୁବିଧା ନଥିଲା । ତେଣୁ ଅମିତ ଶାହାଙ୍କୁ ଅନ୍ୟ ଏକ ହେଲିପ୍ୟାଡରେ ଓହ୍ଲାଇବାକୁ ପଡିଥିଲା ।