ମନରେ ଆତ୍ମବିଶ୍ୱାସ ରହିଲେ ପଦକ ଜିତିବା ସହଜ ହୋଇଥାଏ ! କୁସ୍ତିର କାହାଣୀ କହିଲେ ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତ ।

50

ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗଟଙ୍କର ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନେ ଏଥିଲାଗି କଠିନ ପରିଶ୍ରମ କରୁଛନ୍ତି। କେବଳ ଏହି ଦୁଇ ଜଣ ନୁହଁ, ସବୁ କିଛି ଠିକ୍ ଠାକ୍ ରହିଲେ ଭାରତ ୨୦୨୦ରେ କୁସ୍ତିରୁ ୩-୪ଟି ପଦକ ଜିତି ପାରିବ। ହରିଆଣାର ଅଲିମ୍ପିକ୍ସ ପଦକ ବିଜେତା ପହିଲମାନ ଯୋଗେଶ୍ବର ଦତ୍ତ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବର ଦ୍ବିତୀୟ ଦିନରେ ଏହା କହିଥିଲେ।

କୁସ୍ତିକୁ ପ୍ରାୟୋଜକ ଆସିବା ପରେ ଏହାର ସ୍ଥିତି ପୂର୍ବାପେକ୍ଷା ବଦଳିଛି । କୁସ୍ତିକୁ ବହୁ ଗରିବ ପିଲା ପେସା କରିବାକୁ ଆଗ୍ରହ ଦେଖାନ୍ତି। ହେଲେ ବଞ୍ଚିବା ପାଇଁ ସେମାନଙ୍କର ବି ଅର୍ଥ ଦରକାର । ଏଣୁ ଦଙ୍ଗଲ ଭଳି ଚଳଚ୍ଚିତ୍ର ଯଦି କୁସ୍ତିର ମାନ ବଢ଼ାଇ ପାରୁଛି ଏବଂ କୁସ୍ତି ତାରକାଙ୍କୁ ଜୀବନ ଜିଇଁବା ଲାଗି ଅର୍ଥ ଓ ସମ୍ମାନ ଦେଇ ପାରୁଛି, ତାହାଲେ ଏଭଳି ଆହୁରି ଅନେକ ଚଳଚ୍ଚିତ୍ର ନିର୍ମାଣ ହେବା ଦରକାର ବୋଲି ଯୋଗେଶ୍ବର ଏହି ଅବସରରେ କହିଥିଲେ।

ପ୍ରତିପକ୍ଷ ଜାପାନି କୁସ୍ତି ଯୋଦ୍ଧାର କୌଶଳକୁ ବୁଝି ନପାରିବା ବଜରଙ୍ଗ ପୁନିଆ ବିଶ୍ବ ଚାମ୍ପିଅନସିପ୍ ଫାଇନାଲରେ ହାରିବାର କାରଣ ବୋଲି ଏହି ଅବସରରେ ସେ ମତ ରଖିଥିଲେ। ଜାପାନି ପହିଲମାନ ଅନ୍ତର୍ଜାତୀୟ ସ୍ତରରେ ସେତେଟା ପରିଚିତ ନଥିଲେ। ଏଣୁ ତାଙ୍କ ଲଢ଼ିବା ଶୈଳୀକୁ ଆମେ ଠଉରାଇ ପାରି ନଥିଲୁ। ହେଲେ ବଜରଙ୍ଗ ବହୁ ଅନ୍ତର୍ଜାତୀୟ ପଦକ ଜିତି ସାରିଥିବାରୁ ତା’ ଭିଡିଓ ଦେଖି ଜାପାନି କୁସ୍ତି ଯୋଦ୍ଧା ସେହି ଅନୁସାରେ ପ୍ରସ୍ତୁତି କରିଥିଲା। ଫଳରେ ବଜରଙ୍ଗ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲା ବୋଲି ଯୋଗେଶ୍ବର କହିଥିଲେ।