ମୋଦି-ନବୀନଙ୍କୁ ଏକାଠି ହେବାକୁ ଯୋଗଗୁରୁଙ୍କ ପରାମର୍ଶ : ରାମଙ୍କ ବାଣୀ ଉପରେ ଦାମଙ୍କ ବାଣ

21

କନକ ବ୍ୟୁରୋ : ମୋଦି ଓ ନବୀନଙ୍କୁ ଏକାଠି ହେବାକୁ ପରାମର୍ଶ ଦେଲେ ଯୋଗଗୁରୁ ବାବା ରାମଦେବ । ଆଉ ଏହି ପରାମର୍ଶକୁ ଚିହିଁକି ଉଠିଛି ବିଜେଡି । ବରିଷ୍ଠ ମନ୍ତ୍ରୀ ଡକ୍ଟର ଦାମୋଦାର ରାଉତ, ଓଲଟା ରାମଦେବଙ୍କୁ ପରାମର୍ଶ ଦେଇ କହିଛନ୍ତି-ଯୋଗଛାଡ଼ି ବାବା ରାଜନୀତି କରନ୍ତୁ । ଅନ୍ୟପଟେ ପ୍ରତାପ ଦେବ ରଣକ୍ଷେତ୍ରକୁ ଓହ୍ଲାଇବାକୁ ଆହ୍ୱାନ ଦେଉଥିବା ବେଳେ ଦେବାଶିଷ ସାମନ୍ତରାୟ କହିଛନ୍ତି- ମୋଦି ଦୁର୍ବଳ ହେଉଥିବାରୁ ନବୀନଙ୍କ ସାହାରା ଖୋଜୁଛନ୍ତି ।

ନବୀନ ମୋଦି ମିଶି ଯିବା ନେଇ ଯୋଗଗୁରୁ ଦେଇଥିବା ବୟାନ୍, ରାଜ୍ୟ ରାଜନୀତିକୁ ସରଗରମ କରିଛି । ପ୍ରତ୍ୟକ୍ଷ ରାଜନୀତିରେ ନଥାଇ ବି ଦେଶର ରାଜନୀତିକୁ ପ୍ରଭାବିତ କରୁଥିବା ବାବା ରାମଦେବ, ଯିଏ ମୋଦି ଏବଂ ବିଜେପି ସହ ଜଡ଼ିତ ଥିବା ଚର୍ଚ୍ଚା ହୁଏ ଏବଂ ମୋଦିଙ୍କୁ ଭୋଟ୍ ଦେବାକୁ ଖୋଲାଖୋଲି କୁହନ୍ତି । କାହିଁକି ଏଭଳି ଏକ ମନ୍ତ୍ୟବ୍ୟ ଦେଲେ ।

ରାମଦେବଙ୍କ ଏହି ତେରଛା ବାଣ ପରେ କିନ୍ତୁ ଚିହିଁକି ଉଠିଛି ବିଜେଡି । ଏସବୁ ଭିତରେ ଭୁବନେଶ୍ୱର ସାଂସଦ ପ୍ରଶ୍ନ ପାଟ୍ଟଶାଣୀ କିନ୍ତୁ ଦେଇଛନ୍ତି ଭିନ୍ନ ମତ । ରାଜ୍ୟର ବିକାଶ ପାଇଁ ଯାହା କରିବା ଆବଶ୍ୟକ ତାହା କରିବା ଦରକାର । ନବୀନ-ମୋଦି ମିଶିଲେ ଭଲ ହେବ, ନମିଶିଲେ ଆହୁରୀ ଭଲ ହେବ ବୋଲି ବାବା ପାଟ୍ଟଶାଣୀ କହିଛନ୍ତି ।

ଆଗକୁ ୨୦୧୯ ନିର୍ବାଚନ, ହାତରେ ଦୁଇବର୍ଷର କମ୍ ସମୟ । ଗୋଟିଏ ଦଳ ବୁଥ ଜଗିଥିବା ବେଳେ ଆଉ ଗୋଟିଏ ଦଳ ୱାର୍ଡ ଉପରେ ନଜର ରଖିଛି । ନିର୍ବାଚନ ପୂର୍ବରୁ ଉଭୟ ବିଜେଡି-ବିଜେପି, ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏସବୁ ଭିତରେ ବାବା ରାମଦେବଙ୍କ ଏହି ମନ୍ତବ୍ୟ ଉଭୟ ଦଳର କର୍ମୀ ଓ ନେତାଙ୍କ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।