ରାମଙ୍କୁ ନେଇ ବାବା ରାମଦେବଙ୍କ ବଡ ବୟାନ: କହିଲେ, ରାମଲଲ୍ଲାଙ୍କ ମନ୍ଦିର ଅଯୋଧ୍ୟାରେ ହେବନାହିଁ ତ କଣ ମକ୍କା ମଦିନାରେ ହେବ

170

କନକ ବ୍ୟୁରୋ: ରାମଙ୍କୁ ନେଇ ବାବା ରାମଦେବଙ୍କ ବଡ ବୟାନ । ଗୋଟିଏ ପଟେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ କି ନାହିଁ ତାହାର ମୂଳ ଜମି ମାମଲା ସୁପ୍ରିମକୋର୍ଟରେ ରହିଛି । ଅପରପକ୍ଷରେ ବିଧେୟକ ଜରିଆରେ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଅଯୋଧ୍ୟାର ଅଣବିବାଦୀୟ ଜମି ଫେରାଇ ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଅର୍ଥାତ ଅଯୋଧ୍ୟାର ବୀବାଦୀୟ ସ୍ଥଳ ଛାଡି ଅନ୍ୟତ୍ର ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ବାଚନ ପୂର୍ବରୁ ପଦକ୍ଷେପ ନିଆଯାଇପାରେ । ହେଲେ ଏସବୁ ଭିତରେ ରାମଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଯୋଗ ଗୁରୁ ବାବା ରାମଦେବ ।

ବାବା ରାମଦେବଙ୍କ ବୟାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସେ ବିଜେପିର ଜଣେ ସମର୍ଥକ ଭାବେ ଜଣାଶୁଣା । ବାବା କହିଛନ୍ତି, ରାମଲଲ୍ଲାଙ୍କ ମନ୍ଦିର ଅଯୋଧ୍ୟାରେ ହେବନାହିଁ ତ ଆଉ କଣ ମକ୍କା ମଦିନା କିମ୍ବା ଭଟିକାନ ସିଟିରେ ହେବ । କେବଳ ଏତିକି ନୁହେଁ ରାମଦେବ ଆହୁରୀ ବିବାଦୀୟ କରି କହିଛନ୍ତି ଯେ, ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି ବରଂ ମୁସଲମାନଙ୍କର ବି ପୂର୍ବଜ ଥିଲେ । ଏଥିସହ ଅଯୋଧ୍ୟାରେ ହିଁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପରୋକ୍ଷରେ ଚାପ ସୃଷ୍ଟି କରିଛନ୍ତି ଯୋଗଗୁରୁ ।