କର୍ଣ୍ଣାଟକରେ ପଦ୍ମ ଫୁଟିବା ପୂର୍ବରୁ ମଉଳିଗଲା ! ପଦରୁ ଇସ୍ତଫା ଦେଲେ ୫୫ ଘଣ୍ଟାର ମୁଖ୍ୟମନ୍ତ୍ରୀ , କଂଗ୍ରେସ ବିଧାୟକଙ୍କୁ ଟାଣି ଟାଣି ନେଲେ ବିଜେପି ବିଧାୟକ

32

କନକ ବ୍ୟୁରୋ : ଆଜି ରାଜନୀତିର ବଡ଼ ଡ୍ରାମା ଦେଖିଲା ସାରା ଦେଶ । ଏହି ନାଟକରେ ଯେତିକି ଉକ୍ରଣ୍ଠା ଭରି ରହିଥିଲା, ସେତିକି ଥିଲା ରୋମାଂଚକର । ପ୍ରତି ମୁହୂର୍ତରେ ନୂଆ ନୂଆ କାହାଣୀ ଯୋଡି ହେଉଥିଲା । କବଜା, ନିଖୋଜ, ଟଣାଓଟରା ଭିତରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା । ଆଉ କର୍ଣ୍ଣାଟକ ନାଟକର କ୍ଲାଇମାକ୍ସ ଥିଲା ସବୁଠୁ ରୋଚକ । ଆସ୍ଥା ଭୋଟ ପୂର୍ବରୁ ପଦ ଛାଡିଥିଲେ ଦୁଇ ଦିନର ମୁଖ୍ୟମନ୍ତ୍ରୀ ।

କର୍ଣ୍ଣାଟକ ନାଟକର କ୍ଲାଇମାକ୍ସ ଯେତିକି ଉକ୍ରଣ୍ଠିତ ଥିଲା, ଆଜି ଦିନତମାମ ମଧ୍ୟ କର୍ଣ୍ଣାଟକରେ ଲାଗି ରହିଥିଲା ହାଇ-ଭୋଲଟେଜ୍ ଡ୍ରାମା । ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ବେଙ୍ଗାଲୁରୁ । ଦିଲ୍ଲୀରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା । ଏପଟେ କର୍ଣ୍ଣାଟକରେ କ’ଣ ଘଟୁଛି, ଏହା ଉପରେ ରହିଥିଲା ପୂରା ଦେଶବାସୀଙ୍କ ନଜର । ସମୟ ଗଡୁଥିଲା, ସେହ ଅନୁପାତରେ ଉକ୍ରଣ୍ଠା ବଢୁଥିଲା । ରାଜନୀତିର ଏହି ମହାନାଟକର କ୍ଲାଇମାକ୍ସ କ’ଣ ହେବ ତାହା ଉପରେ ସାରା ଦେଶର ଗଣମାଧ୍ୟମର ଦୃଷ୍ଟି କେନ୍ଦ୍ରୀଭୁତ ହୋଇ ରହିଥିଲା ।

ସମୟ ସକାଳ ୧୦ଟା ୩୦ । ୟେଦ୍ୟୁରପ୍ପାଙ୍କ ଖାସ୍ ଲୋକ କେଜି ବୋପେୟାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ରାଜ୍ୟପାଳ ନିଯୁକ୍ତିକୁ ବିରୋଧ କରି କଂଗ୍ରେସର ପିଟିସନ ଉପରେ ଶୁଣାଣୀ କଲେ ସୁପ୍ରିମକୋର୍ଟ । ଅସ୍ଥାୟୀ ବାଚସ୍ପତିଙ୍କୁ ବଦଳାଇବା ପାଇଁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ବିଧାନସଭାର ପୂରା ଗୃହକାର୍ଯ୍ୟକୁ ଲାଇଭ୍ ଟେଲିକାଷ୍ଟ କରିବା ପାଇଁ ଦେଲେ ନିର୍ଦ୍ଦେଶ ।

ଆଉ ଏହାପରେ ଦିନ ୧୧ରେ ଆରମ୍ଭ ହେଲା କର୍ଣ୍ଣାଟକ ବିଧାନସଭା । ଗୋଟିଏ ଗୋଟିଏ ବିଧାୟକ ପହଁଚିଲେ ବିଧାନସଭା । ପୂରା ବାତାବରଣରେ ଥିଲା ଚାପା ଉତେଜନା । ଜଣଙ୍କ ପରେ ଜଣେ ବିଧାୟକ ଭାବେ ଶପଥ ନେଉଥାନ୍ତି । ତେବେ ନଜର ଥାଏ କଂଗ୍ରେସର ଦୁଇ ବିଧାୟକଙ୍କ ଉପରେ । ଆନନ୍ଦ ସଂହ ଓ ପ୍ରତାପ ଗୌଡ଼ା ପାଟିଲ୍ ବିଧାନସଭାରେ ପହଁଚିନଥାନ୍ତି । ସେପଟେ ବିଜେପି ବିଧାୟକ ସୋମଶେଖର ରେଡ୍ଡି ମଧ୍ୟ ଥିଲେ ଅନୁପସ୍ଥିତ । ଚର୍ଚ୍ଚା ହେଉଥାଏ, ବେଙ୍ଗାଲୁରୁର ଗୋଲ୍ଡ ଫିନଚ ହୋଟେଲରେ କଂଗ୍ରେସର ଦୁଇ ବିଧାୟକକୁ କବଜାରେ ରଖିଛନ୍ତି ସୋମଶେଖର ରେଡ୍ଡି । ଗଣମାଧ୍ୟମର ନଜର କେନ୍ଦ୍ରୀଭୁତ ହେଲା ଗୋଲ୍ଡ ଫିନଚ ହୋଟେଲ ଉପରେ । କିଛି ସମୟରେ ପରେ କର୍ଣ୍ଣାଟକର ପୋଲିସ ଡିଜି ପହଁଚିଲେ ହୋଟଲରେ । ଡିଜି ହୋଟେଲରୁ ବାହାରି ଆସିବା ପରେ କଂଗ୍ରେସର ଦୁଇ ବିଧାୟକ ମଧ୍ୟ ହୋଟେଲ ଛାଡ଼ି ବିଧାନସଭା ଅଭିମୁଖେ ବାହାରିଲେ ।

ଦିନ ୩ଟାରେ ଆଉ ଏକ ଡ୍ରାମା ଦେଖିବାକୁ ମିଳିଲା କର୍ଣ୍ଣାଟକ ବିଧାନସଭାରେ । ପ୍ରତାପ ଗୌଡ଼ା ପାଟିଲଙ୍କୁ ବିଜେପି ଓ କଂଗ୍ରେସ ବିଧାୟକ ଟଣାଓଟରା କରିବାକୁ ଲାଗିଲେ । ଦୁଇ ବିଜେପି ବିଧାୟକ ପ୍ରତାପ ଗୌଡ଼ାଙ୍କୁ ଭିଡ଼ି ଭିଡ଼ି ନେଇ ଯାଇଥିଲେ ୟେଦ୍ୟୁରପ୍ପାଙ୍କ ଚ୍ୟାମ୍ବର ଆଡକୁ । ଆଉ ଦୁଆର ମୁହଁରୁ ପୁଣି ଥରେ ତାଙ୍କୁ ଭିଡି ନେଇ ଚାଲି ଯାଇଥିଲେ କଂଗ୍ରେସ ବିଧାୟକ । ବିଜେପି-କଂଗ୍ରେସର ଏହି ଟଣାଓଟରା ଭିତରେ ପୁଣି ଥରେ ଆରମ୍ଭ ହେଲା ବିଧାନସଭା ।

ସମୟ ୩ଟା ୩୦ । ପ୍ରତୀକ୍ଷିତ ସମୟ ପାଖେଇ ଆସୁଥିଲା । ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହେଲା ବିଧାନସଭାର ଦ୍ୱିତୀୟ ସେସନ୍ । ଶପଥ ନେଇନଥିବା ତିନି ବିଧାୟକଙ୍କ ଶପଥପାଠ ପରେ ୟେଦ୍ୟୁରପ୍ପା ଦେଲେ ଅଭିଭାଷଣ । ଏହି ସମୟରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ମୁହଁରେ ବାରି ହୋଇ ପଡୁଥିଲା ନିରାଶାଭାବ । ପୂରା ବିଜେପି ଶିବିରରେ ଖେଳିଯାଇଥିଲା ଅଦ୍ଭୁତ ନିରବତା । ବହୁମତ ସାବ୍ୟସ୍ତ ପୂର୍ବରୁ ୟେଦ୍ୟୁରପ୍ପା ଯେ ଇସ୍ତଫା ଦେବାକୁ ଯାଉଛନ୍ତି, ତାହାର ସଂକେତ ମିଳି ଯାଉଥିଲା । ସେପଟେ କଂଗ୍ରେସ-ଜେଡିଏସ୍ ମହଲରେ ଖୁସି ବାରି ହୋଇ ପଡୁଥିଲା । ସମସ୍ତଙ୍କ ଅପେକ୍ଷା ଥିଲା ଅପରାହ୍ଣ ୪ଟାକୁ । ୟେଦ୍ୟୁରପ୍ପାଙ୍କ ଭାବଭଙ୍ଗୀ ଯାହା ଜଣାଉଥିଲା, ତାହା ହିଁ ଘଟିଥିଲା ଶେଷରେ । କର୍ଣ୍ଣାଟକ ନାଟକର ପଡିଥିଲା କ୍ଲାଇମାକ୍ସ । ଇସ୍ତଫା ଦେଲେ ଦୁଇ ଦିନର ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ଭାଙ୍ଗିଗଲା ଦୁଇ ଦିନର ବିଜେପି ସରକାର ।