ଅଢ଼େଇ ଦିନର ସରକାର ! ସମ୍ମୁଖ ଯୁଦ୍ଧକୁ ଆସିବା ପୂର୍ବରୁ ହାତ ଟେକିଦେଲେ ୟେଦିୟୁରପ୍ପା

42

କର୍ଣ୍ଣାଟକର ହାଇଭୋଲଟେଜ ଡ୍ରାମାରେ ପଡ଼ିଲା ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପା ଇସ୍ତଫା ଦେବା ସହ ୫ ଦିନ ଧରି କର୍ଣ୍ଣାଟକରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା । ଏହାସହ ବିଜେପିକୁ ଲାଗିଛି ବଡ଼ ଝଟକା । କର୍ଣ୍ଣାଟକରେ ବିଜେପିର ବିଜୟରଥରେ ବ୍ରେକ ଲଗାଇବାକୁ ସକ୍ଷମ ହୋଇଛି କଂଗ୍ରେସ ଓ ଜେଡ଼ିଏସ ମେଣ୍ଟ । ସରକାର ଗଢ଼ିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ଖାସକରି ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ସେଥିରେ ଲାଗିଛି ବ୍ରେକ । ଏହାସହ ଅମିତ ଶାହାଙ୍କ ଗଣିତ ଭୂଲ ପ୍ରମାଣିତ ହୋଇଛି ।

ୟେଦ୍ୟୁରପ୍ପା ଇସ୍ତଫା ଦେବା ସହ କର୍ଣ୍ଣାଟକରେ ଅଢ଼େଇ ଦିନର ବିଜେପି ସରକାର ଭାଙ୍ଗିଛି । ସରକାର ଗଢ଼ିବାକୁ ବିଜେପି ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା ସେଥିରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଖାସକରି କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେପି ଯେଉଁ ଚେଷ୍ଟା ଚଳାଇଥିଲା ସେଥିରେ ବିଫଳ ହୋଇଛି । ନିଜର ପରାଜୟ ଜାଣିବା ପରେ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେଇନଥିଲେ ୟେଦିୟୁରପ୍ପା । ଆଉ ଏହାପରେ ବିଧାନସଭାରେ ଜେଡ଼ିଏସ-କଂଗ୍ରେସ ବିଧାୟକ ମାନେ ମିଠା ଖୁଆଇ ଉତ୍ସବ ମନାଇଥିଲେ ।

ୟେଦିୟୁରପ୍ପା ଇସ୍ତଫା ଦେବା ପରେ ସରକାର ଗଢ଼ିବାକୁ କଂଗ୍ରେସ-ଜେଡ଼ିଏସ ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ଦାବି କରିବ ବୋଲି ସୂଚନା ମିଳିଛି । ଏହାସହ ଗଣତନ୍ତ୍ରର ବିଜୟ ହୋଇଛି ବୋଲି କଂଗ୍ରେସ କହିଛି । ଏପରିକି ଏଥିପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛି କଂଗ୍ରେସ ।