ଯାତ୍ରା ପ୍ରେମୀଙ୍କ ପାଇଁ ଦୁଃଖର ଖବର : ଆସନ୍ତା ଜୁଲାଇରୁ ଯାତ୍ରାପାର୍ଟି ବନ୍ଦ ନେଇ ଘୋଷଣା କଲା ମାଲିକ ସଂଘ

140

କନକ ବ୍ୟୁରୋ :  ଯାତ୍ରା ମଂଚରୁ ଶୁଭିବନି ଆବେଗ ଭରା ସଂଳାପ । ଖଳନାୟକର ଚିତ୍କାରରେ ଆଉ ପ୍ରକମ୍ପିତ ହେବନି ଯାତ୍ରା ପେଣ୍ଡାଲ । ଦେଖିବାକୁ ମିଳିବନି ରେକର୍ଡ ଡ୍ୟାନ୍ସର ରୋମାଂଚ । କାହିଁକି ନା’ ଆସନ୍ତା ଜୁଲାଇ ମାସରୁ ବନ୍ଦ ହେବାକୁ ଯାଉଛି ରାଜ୍ୟର ୨୩ଟି ପ୍ରମୁଖ ଯାତ୍ରାପାର୍ଟି । ଗାଁଠୁ ସହର ସବୁଠି ଲୋକାଦୃତ ହୋଇଥିବା ଏହି ମଂଚ ଅଭିନୟର ପୁରୁଣା ପରମ୍ପରାରେ ଏଥର ପୂର୍ଣ୍ଣଚ୍ଛେଦ ପଡ଼ିବ । ସାମ୍ବାଦିକ ସମ୍ମିଳନୀରେ ଯାତ୍ରା ପାର୍ଟି ବନ୍ଦ କରାଯିବ ନେଇ ଘୋଷଣା କରିଛି ଯାତ୍ରାପାର୍ଟି ମାଲିକ ସଂଘ ।

ଆୟ ତୁଳନାରେ ବ୍ୟୟ ଅଧିକ ଏବଂ ବିଭିନ୍ନ ସରକାରୀ କଟକଣା, ଯାତ୍ରାପାର୍ଟି ମାଲିକ ସଂଘକୁ ଏଭଳି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଛି । ରାଜ୍ୟର ପ୍ରମୁଖ ୨୩ଟି ଯାତ୍ରାପାର୍ଟି ବନ୍ଦ ହେବା ଫଳରେ ଯାତ୍ରା ଜଗତ ସହ ଜଡ଼ିତ ଥିବା ପ୍ରାୟ ୫ ହଜାର କଳାକାର ଏବଂ କର୍ମଚାରୀ କର୍ମ ସଂସ୍ଥାନ ହରାଇବେ । ଯଲିଉଡ ସହ ସଂପର୍କିତ ପ୍ରାୟ ୭ ହଜାର ଲେଖକ, ନିର୍ଦ୍ଦେଶକ ଏବଂ ଆନୁଷ୍ଠିକ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତି ପ୍ରଭାବିତ ହେବେ । ଯାତ୍ରା ବନ୍ଦ ହେବା ନିଷ୍ପତ୍ତିି ପରୋକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ । ଏହା ବ୍ୟତୀତ ବିଭିନ୍ନ ସରକାରୀ କଟକଣା, ଯାତ୍ରାକୁ ବଂଚି ରହିବାରେ ବାଧକ ସୃଷ୍ଟି ହୋଇଛି । ଗାଁରୁ ସହର ଯାତ୍ରା ପରିବେଷଣ ଉପରେ ରହିଛି ଅନେକ କଟକଣା ।

କେତେବେଳେ ଅନୁମତିକୁ ନେଇ, ତ ଆଉ କେତେବେଳେ ସ୍ଥାନକୁ ନେଇ । ସେହିପରି ପିଲାଙ୍କ ପାଠପଢ଼ା ପାଇଁ କଟକଣା, ଯାତ୍ରା ପରିବେଷଣର ନିର୍ଦ୍ଧିଷ୍ଟ ସମୟସୀମା ନିର୍ଦ୍ଦାରଣ ଆଦି ସମସ୍ୟା ଯାତ୍ରା ଉପରେ ବେଶ ପ୍ରଭାବ ପକାଇଛି । ଏମିତିକି ପୁରୀ, କଟକ, ବରଗଡ଼ ଆଦି ସହରରେ ଯାତ୍ରା ପରିବେଶଷ ବିଭିନ୍ନ କାରଣରୁ ବନ୍ଦ ରହିଛି । ଯାତ୍ରପାର୍ଟି ମାଲିକ ସଂଘର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଅନେକ କଳାକାର । ଯାତ୍ରା ପରମ୍ପରାକୁ ବଂଚାଇ ରଖିବାକୁ ହେଲେ ସରକାରଙ୍କୁ ଆଗେଇ ଆସିବା ଦରକାର ବୋଲି କଳାକାରଙ୍କ ମତ । କଳାକାର ନବଂଚିଲେ, କଳା ବଂଚିବନି ବୋଲି କହିଛନ୍ତି ଯାତ୍ରା ଅଭିନେତା ଲରେନ୍ସ ।