ଜେଟଲୀଙ୍କୁ ଘେରିଲେ ଯଶୋୱନ୍ତ ! ଦେଶର ଟଳମଳ ଅର୍ଥନୀତିକୁ ନେଇ ବିଜେପି ଅନ୍ଦର ମହଲରୁ ଶୁଭିଲା ଅସନ୍ତୋଷର ସ୍ୱର

37

କନକ ବ୍ୟୁରୋ : ତଳକୁ ଖସୁଛି ଭାରତ ଅର୍ଥନୀତି । ବିମୁଦ୍ରାକରଣ ଏବଂ ଜିଏସଟି ଲାଗୁ ପରେ ତା’ର ବଡ଼ ପ୍ରଭାବ ଦେଖିବାକୁ ମିଳିଛି ଭାରତୀୟ ଅର୍ଥନୀତିରେ । ଯେଉଁ ଉର୍ଦ୍ଧ୍ୱ ମୁଖା ଅଭିବୃଦ୍ଧି ନେଇ ଭାରତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଥିଲା, ତାହା ଏବେ ତଳକୁ ଖସିବାରେ ଲାଗିଛି । ଦୈନିକ ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସରେ ଏକ ସଂଦର୍ଭ ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶୋୱନ୍ତ ସିହ୍ନା ।

ଯଶୋୱନ୍ତ ସିହ୍ନା ଲେଖିଛନ୍ତି, “ ଅର୍ଥମନ୍ତ୍ରୀ ଜେଟଲୀ ଭାରତୀୟ ଅର୍ଥନୀତିକୁ ଯେଭଳି ଗୋଳମାଳିଆ ସ୍ଥୁତିକୁ ନେଇ ଯାଇଛନ୍ତି ଯଦି ମୁଁ ଏବେ କିଛି ନକୁହେ, ତେବେ ମୁଁ ଜାତୀୟ କର୍ତ୍ତବ୍ୟକୁ ଅବହେଳା କରୁଛି ବୋଲି କୁହାଯିବ ।”

ବିମୁଦ୍ରାକରଣ ଓ ଜିଏସଟିକୁ କଡ଼ା ସମାଲୋଚନା କରି ଯଶୋୱନ୍ତ ସିହ୍ନା କହିଛନ୍ତି, “ ବିମୁଦ୍ରାକରଣ ହେଉଛି ଅପୂରଣୀୟ ଆର୍ଥିକ ବିପତ୍ତି ଏବଂ ଜିଏସଟି ଅତି ଖରାପ ଭାବରେ ଲାଗୁ କରାଯାଇଛି ।” ସେ କହିଛନ୍ତି,“ ସରକାର ଯେଉଁ ଅଭିବୃଦ୍ଧି ହାର ୫.୭କୁ କମି ଆସିଥିବା କଥା କହୁଛନ୍ତି, ବାସ୍ତବରେ ତାହା ୩.୭ ପ୍ରତିଶତ କିମ୍ବା ତାହାଠାରୁ କମ୍” ।

ଭାରତୀୟ ଅର୍ଥନୀତିର ଅଧୋଗତି ପାଇଁ ଯଶୋୱନ୍ତ ସିହ୍ନା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଯଶୋୱନ୍ତଙ୍କ ସମାଲେଚନା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଟ୍ୱିଟର ପେଜରେ କଟାକ୍ଷ କରି କହିଛନ୍ତି, “ ମହାଶୟା ଏବଂ ମହାଶୟ, ଆପଣଙ୍କ କୋ-ପାଇଲଟ ଏବଂ ଅର୍ଥମନ୍ତ୍ରୀ କହୁଛନ୍ତି । ଆପଣଙ୍କ ସିଟ୍ ବେଲ୍ଟ ବାନ୍ଧି ଠିକ୍ ଭାବେ ବସିରୁହନ୍ତୁ । ଆମ ବିମାନର ଡେଣା ଖସିପଡ଼ିଛି” ।

ସେପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି, ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି, “କ୍ଷମତା କେନ୍ଦ୍ରକୁ ସତ ଜଣାଇଛନ୍ତି ଯଶୋୱନ୍ତ ସିହ୍ନା । କ୍ଷମତା କେନ୍ଦ୍ର ଏହି ସତକୁ ସ୍ୱୀକାର କରିବ କି ଅର୍ଥନୀତି ତଳକୁ ତଳକୁ ଯାଉଛି” ।

ସେପଟେ ଯଶୋୱନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଯଶୋୱନ୍ତ ସିହ୍ନା ତାଙ୍କ ଲେଖାରେ କହିଛନ୍ତି, ବିଜେପିର ବହୁ ନେତା ଭୁଷୁଡୁଥିବା ଅର୍ଥନୀତି ସଂପର୍କରେ ଅବଗତ ଅଛନ୍ତି,ହେଲେ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ମୋଦି ସରକାରଙ୍କୁ ସିହ୍ନାଙ୍କ ସମାଲୋଚନା ପରେ ବିଜେପିରେ ଗୁଂଜରଣ ଖେଳିଯାଇଛି ।