ଯଶପାଲ ମହାନ୍ତି ସ୍ମାରକୀ ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଛକା ଓ ଚୌକାର ବର୍ଷା କରୁଛନ୍ତି ଆଇନଜୀବୀ! ଫେବ୍ରୃଆରୀ ୩ରେ ଖେଳାଯିବ ଫାଇନାଲ

263

କନକ ବ୍ୟୁରୋ :  ଯଶପାଲ ମହାନ୍ତି ମେମୋରିଆଲ କମିଟି ଆନୁକୁଲ୍ୟରେ କଟକ ସନସାଇନ ପଡିଆରେ ଓକିଲ ସଂଘର କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଗତ ୨୫ ତାରିଖ ଦିନ ଉଦଘାଟିତ ହୋଇଛି ।  ଉଦଘାଟନୀ ମ୍ୟାଚରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ ଜାଭେରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଚାରପତି ଜଷ୍ଟିସ ଏସ.କେ ମିଶ୍ର. ବିଚାରପତି ଜଷ୍ଟିସ ଏସ.କେ ସାହୁ, ବିଚାରପତି ଜଷ୍ଟିସ ଏ.କେ ରଥ ସମ୍ମାନିତ ଅତିଥି ଭାବେ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

ଉଦଘାଟନୀ ଦିନର ପ୍ରଥମ ମ୍ୟାଚରେ ହାଇକୋର୍ଟ ବାର ଆସୋସିଏସନ ଏବଂ କ୍ରିମିନାଲ ବାର ଆସୋସିଏସନ ପରସ୍ପରକୁ ଭେଟିଥିଲେ । ୨୦ ଓଭର ବିଶିଷ୍ଟ ମ୍ୟାଚରେ କ୍ରିମିନାଲ ବାର ଆସୋସିଏସନ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ କ୍ରିମିନାଲ କୋର୍ଟ ବାର ଆସୋସିଏସନ ୭ୱିକେଟରେ ୧୫୯ ରନ କରିଥିଲା । ଦଳ ପକ୍ଷରୁ ତରୁଣ ପଟ୍ଟନାୟକ ସର୍ବାଧିକ ୩୧ ରନ କରିଥିଲେ । ତେବେ ୧୬୦ ରନ ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ହାଇକୋର୍ଟ ବାର ଆସୋସିଏସନ ୮ ୱିକେଟରେ ୧୪୯ ରନ କରିବା ସହ ବିଜୟ ଲକ୍ଷ୍ୟ ଠାରୁ ୧୧ ରନ ଦୂରରେ ରହିଥିଲା ।

ସେହିଭଳି ଉଦଘାଟନୀ ଦିନର ଦ୍ୱିତୀୟ ମ୍ୟାଚରେ କଟକ ବାର ଆସୋସିଏସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ ୫ ୱିକେଟ ବିନିମୟରେ ୧୦୯ ରନ ସଂଗ୍ରହ କରିଥିଲା । ଯାହାକୁ ଭୁବନେଶ୍ୱର ବାର୍ ଆସୋସିଏସନ ମାତ୍ର ୮.୨ ଓଭରରେ ୨ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା ।

୬ଟି ଟିମକୁ ନେଇ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା ୨ ତାରିଖରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ସେମିଫାଇନାଲର ପ୍ରଥମ ମୁକାବିଲା ହାଇକୋର୍ଟ ବାର ଆସୋସିଏସନ ଓ ବୋର୍ଡ ଅଫ୍ ରେଭିନ୍ୟୁ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଭୁବନେଶ୍ୱର ବାର ଆସୋସିଏସନ ଓ କ୍ରିମିନାଲ କୋର୍ଟ ବାର ଆସୋସିଏସନ ମଧ୍ୟରେ ଖେଳାଯିବ । ଉଭୟ ମ୍ୟାଚର ବିଜେତା ଆସନ୍ତା ୩ ତାରିଖରେ ପରସ୍ପରକୁ ଫାଇନାଲରେ ଭେଟିବେ ।