ବିଶ୍ୱାସ ଡୋରୀରେ ବନ୍ଧା ସମ୍ପର୍କକୁ ଛିଣ୍ଡାଇ ପାରିଲାନି ଅଦୃଶ୍ୟ ଭାଇରସ୍ । କରୋନା ଲକ୍ଷଣ ଥିବାରୁ ଅମୃତକୁ ଟ୍ରକରୁ ଓହ୍ଲାଇ ଦେଲେ ପ୍ରିୟଜନ । ଜୀବନ ପ୍ରତି ବିପଦ ଥିଲେ ସୁଦ୍ଧା ବନ୍ଧୁକୁ କୋଳରେ ଧରି ଘଣ୍ଟା ଘଣ୍ଟା ବସିରହିଲା ୟାକୁବ

1,174

କନକ ବ୍ୟୁରୋ : ମହାମାରୀ ଭୟ ଠାରୁ ଅଧିକ ଶକ୍ତିଶାଳୀ ବନ୍ଧୁତାର ସମ୍ପର୍କ । ମୃତ୍ୟର ଶେଯରେ ଶୋଇଥିଲା ବନ୍ଧୁ । ସଂକ୍ରମଣ ଭୟ ଥିଲେ ସୁଦ୍ଧା ହାତ ଛାଡ଼ିଲାନି ପ୍ରିୟ ସାଙ୍ଗ । ଅଜଣା ଭାଇରସର ଅଦୃଶ୍ୟ ମାୟାଜାଳରେ ଭିତରେ ମଣିଷ ପେଷିହେଉଥିବା ବେଳେ ନିରୋଳା ବନ୍ଧୁତାରେ ବାଡ଼ ସାଜି ପାରିଲାନି କରୋନା । ଲକଡାଉନରେ ଲୋକଙ୍କ ମାନବିକତରା ପାଚେରୀ ସାଜିଛି ଅଜଣା ଭାଇରସ୍ । ଘରକୁ ଫେରିଲା ବେଳେ କରୋନା ସନ୍ଧିଗ୍ଧ ବୋଲି ଅମୃତକୁ ଟ୍ରକରୁ ଓହ୍ଲାଇ ଦେଲେ । ଜୀବନ ପ୍ରତି ବିପଦ ଥିଲେ ସୁଦ୍ଧା ସାଙ୍ଗକୁ ସାଙ୍ଗକୁ ଘଡ଼ିଏ ବି ପାଖରୁ ଅନ୍ତର କଲାନି । ସଂକ୍ରମଣ ଭୟରେ ପରିବାର ଲୋକ ପାଖ ମାଡ଼ୁନଥିବା ବେଳେ ଅମୃତକୁ କୋଳରେ ଧରି ଘଣ୍ଟା ଘଣ୍ଟା ବସିରହିଲା ବନ୍ଧୁ ୟାକୁବ୍ ।

ଜୀବନର ଛକିଶୂନ ଖେଳରେ ହାରିଗଲା ଅମୃତ । ହେଲେ କରୋନାର ମାୟାଜାଲ ଭିତରେ ଅମର ହୋଇଗଲା ୟାକୁବ୍ ଓ ଅମୃତଙ୍କ ବନ୍ଧୁତା । ମହାମାରୀ ସଙ୍କଟ ମଧ୍ୟରେ ଗୁଜରାଟରୁ ଉତ୍ତରପ୍ରଦେଶ ଅଭିମୁଖେ ଏକ ଟ୍ରକରେ ଘରକୁ ଫେରୁଥିଲେ ପ୍ରବାସୀ । ଆଉ ଟ୍ରକରେ ହିଁ ଅଚାନକ୍ ଅମୃତର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । କରୋନା ଲକ୍ଷଣ ଥିବାରୁ ଅମୃତକୁ ଜୋରଜବରଦସ୍ତି ଓହ୍ଲାଇ ଦେଲେ ଟ୍ରକରେ ଥିବା ଲୋକେ । ପ୍ରିୟଜନ ହାତ ଛାଡ଼ି ଚାଲିଗଲେ ସିନା ହେଲେ ବନ୍ଧୁକୁ ଏକାଛାଡ଼ି ଗଲାନି ୟାକୁବ୍ ।

ସଙ୍କଟ ସମୟରେ ବନ୍ଧୁକୁ ନିକଟରେ ଦେଖି ଅମୃତର ନିଷ୍ପ୍ରଭ ଆଖିରେ ଆଶା ଉକୁଟୁଥିଲା । ବଞ୍ଚିବାର ଇଚ୍ଛା ପ୍ରବଳ ହୋଇଉଠୁଥିଲ । ହେଲେ ପ୍ରିୟ ସାଙ୍ଗକୁ ପାଇଁ କିଛି କରିପାରୁନଥିବାରୁ ୟାକୁବର ଆଖି ଛଳ ଛଳ ହୋଇଯାଉଥିଲା । ରାସ୍ତାରେ ଯନ୍ତ୍ରଣାରେ ଛଟପଟ୍ ହେଉଥିଲା ଅମୃତ, ଆଉ ଲାଚାର ହୋଇ ପାଖରେ ବସିରହିଥିଲା ୟାକୁବ୍ । ସାଙ୍ଗକୁ ଟିକିଏ ମେଡ଼ିକାଲ ନେବାକୁ କାହା ଆଗରେ ନେହୁରା ହେଉଥିଲା ତ ଆଉ କାହା ଗୋଡ଼ ଧରିପକାଉଥିଲା । ହେଲେ କେହି ଶୁଣୁନଥିଲେ ୟାକୁବର ଗୁହାରୀ । ଅନେକ ଅନୁରୋଧ ପରେ କିଛି ଲୋକଙ୍କ ସହାୟତାରେ ଅମୃତକୁ ମେଡ଼ିକାଲ ପହଞ୍ଚାଇଲା ୟାକୁବ୍ ।

ହେଲେ ସେତେବେଳକୁ ସବୁ ଶେଷ ହୋଇସାରିଥିଲ । ପ୍ରିୟ ବନ୍ଧୁକୁ ହରାଇଗଲା ବନ୍ଧୁ । ମରିଗଲେ ଦୁନିଆରେ କାନ୍ଦିବା ଲୋକର ଅଭାବ ନାହିଁ । ହେଲେ ମୁତ୍ୟୁ ପୂର୍ବରୁ ସାହାଯ୍ୟ କରିବାକୁ କେତେ ଜଣ ବା ଆଗେଇ ଆସନ୍ତି । ବିପଦ ସମୟରେ ସାହାଯ୍ୟ କରୁଥିବା ଲୋକ ହିଁ ପ୍ରକୃତ ବନ୍ଧୁ । ସାରା ଦେଶ ତାଲାବନ୍ଦରେ ଥିବାବେଳେ କାଳ କାଳ ପାଇଁ ଅମର ହୋଇଗଲା ଅମୃତ ଓ ୟାକୁବର ବନ୍ଧୁତା ।