ଦେଶରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଭବିଷ୍ୟତକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ମୁହାଁମୁହିଁ

100

କନକ ବ୍ୟୁରୋ : ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଭବିଷ୍ୟତକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅତ୍ୟଧିକ ଋଣ ପ୍ରଦାନ ଓ କୃଷି ଋଣ ଛାଡ଼ ଆଗାମୀ ଦିନରେ ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପାଇଁ ସଙ୍କଟକୁ ଡାକି ଆଣିପାରେ ବୋଲି ରାଜନ୍ ମତ ଦେଇଛନ୍ତି। ରାଜନ୍ ଏହା ମଧ୍ୟ କହିଛନ୍ତି ସରକାର ଅତୀତ ସଙ୍କଟର ଉତ୍ସ ପରିବର୍ତେ ଆଗାମୀ ଦିନରେ ଦେଖାଦେବାକୁ ସଙ୍କଟର ଉତ୍ସକୁ ଖୋଜିବା ଉଚିତ। ରାଜନଙ୍କ ଏହି ମନ୍ତବ୍ୟକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସହଜରେ ହଜମ କରିପାରି ନାହାନ୍ତି। ରାଜନ୍ ମତ ଉପରେ ଜେଟଲୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ପକ୍ଷରେ ଆବଶ୍ୟକ ସମୟରେ ଠିକଣା ପଦକ୍ଷେପ ନେବା ପରିବର୍ତେ ପୋଷ୍ଟମର୍ଟମ କରିବା ସହଜ।

 

ତେବେ ରାଜନ୍ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ନିକଟକୁ ନିକଟରେ ଏନ୍ପିଏ ସମ୍ପର୍କରେ ପଠାଇଥିବା ଉତ୍ତରରେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସରକାର ଉଚ୍ଚାଭିଳାଷୀ ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟରୁ ବିରତ ରହିବା ଉଚିତ। ସେହିଭଳି ଋଣ ଛାଡ଼ରୁ ମଧ୍ୟ କ୍ଷାନ୍ତ ରହିବା ଆବଶ୍ୟକ। ଠିକ୍ ଭାବେ କାର୍ଯ୍ୟ କରା ନଯାଇ ଅନେକ ସମୟରେ ଋଣ ଲକ୍ଷ୍ୟ ହାସଲ କରାଯାଇଥାଏ। ଫଳରେ ଏହା ଭବିଷ୍ୟତରେ ଏନ୍ପିଏ ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିଥାଏ। ଏଥିପାଇଁ ମୁଦ୍ରା ଋଣ ଓ କିଷାନ୍ କ୍ରେଡିଟ୍ କାର୍ଡର ମଧ୍ୟ ବିଶେଷଭାବେ ଅନୁଧ୍ୟାନ କରାଯିବା ଉଚିତ। ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ସିଡବି ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଋଣ ଗ୍ୟାରେଣ୍ଟି ସ୍କିମ୍କୁ ଜରୁରୀ ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ରାଜନ୍ କହିଛନ୍ତି। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ୩ ବର୍ଷ ପାଇଁ ରାଜନ୍ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବାବେଳେ ଏବେ ଆମେରିକାରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।