ସ୍ୱାଇନ୍ ଫ୍ଲୁ ନେଲା ପ୍ରଥମ ଜୀବନ ! ଭୁବନେଶ୍ୱରରେ ଜଣକର ମୃତ୍ୟୁ ହୋଇଥିବା ସୂଚନା

44

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ ଫ୍ଲୁ ରେ ଗଲା ପ୍ରଥମ ଜୀବନ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଏ ଅନୀଲ କୁମାର । ଅନୀଲ କୁମାର ଭୁବେନେଶ୍ୱର ବାସିନ୍ଦା ହୋଇଥିବା ବେଳେ ସେ ବିଶାଖପାଟଣାମରେ ରହୁଥିଲେ । ଅନ୍ୟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏଚ ୱାନ ଏନ ୱାନ ଭୁତାଣୁ ଥିବା ଜଣାପଡିଥିଲା । ଆଜି ସକାଳ ସାଢେ ୫ରେ ଅନୀଲ କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଶୁକ୍ରବାର ପରୀକ୍ଷା କରାଯାଇଥିବା ସ୍ୱାବ୍ ମଧ୍ୟରୁ ୬ ଟି ପଜିଟିଭ୍ ବାହାରିଛି । ଯେଉଁଥିରୁ ୪ଟି ରାଜଧାନୀ ଭୁବନେଶ୍ୱରର । ସେହିପରି କଟକର ଜଣେ ଏବଂ ସୁନ୍ଦରଗଡର ଜଣେ ରୋଗୀଙ୍କ ଦେହରେ ସ୍ୱାଇନ୍ ଫ୍ଲୁ ଭୂତାଣୁ ପଜିଟିଭ୍ ଥିବା ରିପୋର୍ଟରେ ଜଣାପଡିଛି । ଏଯାଏଁ  ମୋଟ୍ ୧୫୪ ଟି ସାମ୍ପଲ ପରୀକ୍ଷା କରାଯାଇଥିବା ବେଳେ ୨୪ ଟି ପଜିଟିଭ୍ ଚିହ୍ନଟ ହୋଇଛି ।

ଏପଟେ ସ୍ୱାଇନ୍ ଫ୍ଲୁ କୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ହସପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିଛି । ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବି ଗଢା ଯାଇଛି । ୨୦୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୩୫ ଜଣଙ୍କ ଜୀବନ ଯାଇଥିଲା । ୨୦୦୯ ଓ ୨୦୧୦ରେ ଓଡିଶାରେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁର ପ୍ରଥମ ଖବର ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା

୨୦୦୯ ମସିହା ଅପେକ୍ଷା ସ୍ଥିତି ବଦଳିଛି । ଏଣୁ ସ୍ୱାଇନ ଫ୍ଲୁ କୁ ଏଚ୍ ୧ ଏନ୍ ୧ ଭୂତାଣୁ ବଦଳରେ ସିଜନାଲ ଇନଫ୍ଲୁଏଞ୍ଜା କୁହାଯାଉଛି । ଏହା ସହ ଜିଲ୍ଲା ସ୍ତରରୁ ସ୍ୱାଇନ ଫ୍ଲୁ ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶିଶୁ,ବୃଦ୍ଧ ଓ ଗର୍ଭବତୀଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇଲେ ସ୍ୱାଇନ୍ ଫ୍ଲୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇ ପାରିବେ ।