ରଙ୍ଗ ରୁଟରେ ଗାଡ଼ି ଚଳାଇ ଫସିଗଲେ ଗାଡ଼ି ମାଲିକ । ସିଜ ପରେ ଗାଡି ମୁକୁଳାଇବା ହେଉଛି ମୁସ୍କିଲ । ୧୨ ଦିନ ହେଲା କୋର୍ଟରେ ଚକ୍କର କାଟି ସକାଳରୁ ହେଉଛି ସଞ୍ଜ ।

609

କନକ ବ୍ୟୁରୋ: ଶିଶିରକାନ୍ତ ଗୋଛାୟତ । ଘର ଏରସମା ଅଂଚଳରେ । ଭୁବନେଶ୍ୱର ଆସି ଫସି ଯାଇଛନ୍ତି ଶିଶିର । ରାଜମହଲ ଛକରେ ରଙ୍ଗରୁଟ ଚେକିଂ ସମୟରେ ଟ୍ରାଫିକ ହାତରେ ଧରା ପଡିବା ପରେ ନାକରେ ପାଣି ପିଇ ସାରିଲେଣି ଶିଶିର । ପୁଲିସ ତାଙ୍କ ଗାଡିଟିକୁୁ ସିଜ କରି କୋର୍ଟକୁ ପିଆର ପଠାଇଥିଲା । ଗାଡିକୁ ମୁକୁଳାଇବା ପାଇଁ ସେ ଏରସମାରୁ ଆସି ଭୁବନେଶ୍ୱରରେ ଅଟକି ଯାଇଛନ୍ତି । ଆଉ ୧୨ ଦିନ ହେଲା କୋର୍ଟର ଚକ୍କର କାଟି କାଟି ନୟାନ୍ତ ହେବା ପରେ, ୧୨ ହଜାର ଟଙ୍କା ଫାଇନ ଦେଇ ତାଙ୍କ ଗାଡିକୁ ମୁକୁଳାଇଛନ୍ତି ।

କେବଳ ଶିଶିର ନୁହଁନ୍ତି, ଗୋଟିଏ ଦିନରେ ପୁଲିସ ଏଭଳି ୮୦ଟି ଗାଡିକୁ ସିଜ କରିଥିଲା । ଗତ ୬ ତାରିଖରୁ ଏଯାବତ ମାତ୍ର ୨୦ରୁ ୩୦ଟି ଗାଡି ମୁକୁଳିଛି । ଏଥିରୁ ବରିଷ୍ଠ ନାଗରିକ ବି ବର୍ତ୍ତି ନାହାଁନ୍ତି । ଜଣେ ବରିଷ୍ଠ ନାଗରିକ ୧୨ ଦିନ ହେଲା କୋର୍ଟ ଦୌଡୁଛନ୍ତି ହେଲେ, ତାଙ୍କ ଗାଡି ମୁକୁଳାଇ ପାରୁନାହାନ୍ତି । ପ୍ରତିଦିନ ସକାଳୁ ସଞ୍ଜ ହେଇଯାଉଛି, ହେଲେ କୋର୍ଟରୁ ଗାଡି ମୁକୁଳାଇବା ସହଜ ହେଉନାହିଁ ।

ଅନ୍ୟପଟେ ବରିଷ୍ଠ ଆଇନଜୀବୀ କହିଛନ୍ତି ପୋଲିସ ଚାହିଁଲେ ଲୋକଙ୍କ ଠାରୁ ଫାଇନ ଆଦାୟ କରି ଗାଡ଼ି ଫେରାଇ ପାରିଥାନ୍ତା । କିମ୍ବା ସ୍ୱତନ୍ତ୍ର କୋର୍ଟ କରି ପୁଲିସ ଫାଇନ ଆଦାୟ କରିପାରନ୍ତା । ଏଭଳି ନକରିବାରୁ ଜନ ସାଧାରଣଙ୍କୁ ଅଡୁଆରେ ପକାଉଛି ।

କିଛି ଦିନ ତଳେ ମହିଳାଙ୍କ ଗାଡି ଚାବି ଛଡାଇ ଚର୍ଚ୍ଚାକୁ ଆସିଥିଲା କମିଶନରେଟ ପୁଲିସ । ଚାବି ଫେରି ପାଇବା ପାଇଁ ମହିଳା ଜଣକ ପୋଲିସର ଗୋଡ଼ ଧରିବା ଦୃଶ୍ୟ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କମିସନରେଟ୍ ପୋଲିସ ନିଜର କ୍ଷମତା ସଂପର୍କରେ ଟୁଇଟ୍ କରି ଗଣମାଧ୍ୟମକୁ ଦାୟିତ୍ୱର ସହ ଖବର ପ୍ରସାରଣ କରିବାକୁ ପରାମର୍ଶ ଦେଇଥିଲା । ହଠାତ ତା’ପର ଦିନ ରଙ୍ଗ ରୁଟରେ ଆସୁଥିବା ୮୦ ଜଣଙ୍କ ଗାଡି ସିଜ କରି କୋର୍ଟକୁ ପିଆର ପଠାଇ ଦେଇଥିଲା ପୁଲିସ ।

ସବୁଠୁ ବଡକଥା ହେଉଛି ଏହା ପରଠାରୁ ଭୁବନେଶ୍ୱରରେ ଆଉ ରଙ୍ଗରୁଟରେ ଗାଡି ଚେକିଂ ହେଉନଥିବା ଚର୍ଚ୍ଚା ହେଉଛି । ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ କମିସନରେଟ୍ ପୋଲିସ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିନାହିଁ ।