କଟକରେ ଘରୋଇ ପରୀକ୍ଷା ସେଂଟରରେ ରୋଗୀଙ୍କୁ ଭୁଲ ରିପୋର୍ଟ ଦେବା ମାମଲା । ସିଡିଏମଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କହିଲେ, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

37

କନକ ବ୍ୟୁରୋ : ରୋଗୀଙ୍କୁ ଭୁଲ ରିପୋର୍ଟ ଦେବା ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କଟକ ସିଡିଏମଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର । ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାଙ୍କୁ ସିଡିଏମଓଙ୍କୁ କୁୂହାଯାଇଛି । ଏବଂ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କଟକର ଏକ ପ୍ରମୁଖ ଘରୋଇ ପରୀକ୍ଷା କେନ୍ଦ୍ର ଇକୋ ଇମେଜିଂ ସେଂଟରରେ ଅଲଟ୍ରାସାଉଣ୍ଡ କରିଥିବା ଜଣେ ପୁରୁଷ ରୋଗୀଙ୍କୁ ମହିଳାଙ୍କ ରିପୋର୍ଟ ଦିଆଯାଇଥିଲା ।

ଯାଜପୁର ଅରିଲୋରୁ ସୋମ୍ୟ ପ୍ରକାଶ ସାମଲଙ୍କ ପେଟ ଦରଜ ହେବାରୁ ଡା. ଉମେଶ ଚନ୍ଦ୍ର ପାତ୍ରଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ଅଲଟ୍ରାସାଉଣ୍ଡ କରିବାକୁ ଏହି ପରୀକ୍ଷାକେନ୍ଦ୍ରକୁ ଆସିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଲା, ସୋମ୍ୟ ପ୍ରକାଶ ପୁରୁଷ ହୋଇଥିବାବେଳେ ତାଙ୍କ ରିପୋର୍ଟରେ ୟୁଟ୍ରସ ଓ ଓଭାରି ସାଇଜ ଉଲ୍ଲେଖ ରହିଥିଲା । ଏହାକୁ ନେଇ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷଙ୍କୁ ପଚାରିବାରୁ ରିପୋର୍ଟ ଛଡାଇ ନେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ରୋଗୀ ଏବଂ ତାଙ୍କ ସଂପର୍କୀୟ ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପରୀକ୍ଷାକେନ୍ଦ୍ରର ମ୍ୟାନେଜର ଦୋଷ ସ୍ୱୀକାର କରିବା ସହ ଏହା ଡାକ୍ତରଙ୍କ ଭୁଲ ବୋଲି ସଫେଇ ଦେଇଛନ୍ତି । ଅନ୍ୟପଟେ ସେଂଟର କର୍ମଚାରୀ ଧମକ ଦେବା ବିଷୟରେ ସେ ଜାଣି ନଥିବା କହିଛନ୍ତି । ଏହି ରିପୋର୍ଟରେ ରେଡିଓଲଜିଷ୍ଟ ଡାକ୍ତର ସୁବ୍ରତ ରାଉତଙ୍କ ନାଁ ରହିଛି ।