ଓଡିଆ ଯୁବକଙ୍କ ନୂଆ ଉଦ୍ଭାବନ । ଷ୍ଟ୍ରିଟ୍ ରୋମିଓଙ୍କୁ ସାବାଡ଼ କରିବାକୁ ତିଆରି କଲେ ରିଷ୍ଟ-ୱାଚ୍

50

କନକ ବ୍ୟୁରୋ: ଯୁବତୀମାନଙ୍କ ପ୍ରତି ଅସଦାଚରଣ କରୁଥିବା ଲୋକଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ । ଷ୍ଟ୍ରିଟ୍ ରୋମିଓମାନଙ୍କୁ ସାବାଡ଼ କରିବା ପାଇଁ ଜଣେ ଓଡ଼ିଆ ଯୁବକ ବାହାର କରିଛନ୍ତି ସି-ୱାଚ୍ ଡିଭାଇସ୍ । ଜଣେ ଉଦ୍ଭାବକରୁ ଉଦ୍ୟୋଗୀ ପାଲଟିିଥିବା ଯୁବକଙ୍କ ଏହି ଡିଭାଇସ୍ ଖୁବ୍ ଶୀଘ୍ର ବଜାରକୁ ଆସିବ ।

କିଭଳି କାମ କରିବ ଏହି ଡିଭାଇସ୍

ଝିଅମାନଙ୍କୁ କମେଂଟ୍ ମାରିବା ତଥା ସେମାନଙ୍କ ପିଛା କରୁଥିବା ଯୁବକଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପାରେ  ଯଦି ସଂପୃକ୍ତ ଯୁବତୀ ଏହି ଗେଜେଟଟିକୁ ପିନ୍ଧିଥିବେ । ଏହି ଗେଜେଟିର ନାଁ ରହିଛି ସି-ୱାଚ । ଯାହାର ମୂଲ୍ୟ ୩, ୫୦୦ ଟଙ୍କା ଭିତରେ ରହିଛି । ସି-ୱାଚରେ ରହିଛି ତିନିଟି ଫିଚର୍ । ୱାଚଟି ଟିପିଦେଲେ ଏକ ଶକ୍ତ କରେଂଟ୍ ଖାଇବ ଆକ୍ରମଣକାରୀ ଯୁବକ । ତା’ ପରେ ଏକ ବଡ଼ ସାଇରନ୍ ସୃଷ୍ଟି ହେବ । ବଟନ୍ ଦାବିଲେ ପୋଲିସ୍ ଷ୍ଟେସନ୍ ଓ ନିଜ ଲୋକଙ୍କ ପାଖକୁ ଫୋନ୍ ସଂଯୋଗ ହୋଇଯିବ ।

ସୁଶାନ୍ତ ପଟ୍ଟନାୟକ ହେଉଛି ଜଣେ ଯୁବ ଓଡ଼ିଆ ଉଦ୍ଭାବକ ତଥା ଉଦ୍ୟୋଗୀ । ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲରେ ପଢ଼ିବା ଦିନଠାରୁ ସେ ଉଦଭାବନ କରିଚାଲିଛନ୍ତି ଅନେକ ଡିଭାଇସ୍ । ଭୋପାଳର ଆଇଜରରେ ପଢ଼ିବା ବେଳେ ବି ସେ ଏହି ଆଗ୍ରହକୁ ଛାଡ଼ିପାରିନାହାନ୍ତି । ତାଙ୍କ ଉତ୍ପାଦିତ ଉଦ୍ଭାବନକୁ ବ୍ୟବସାୟିକ ଭିତରେ ବଜାରକୁ ଛାଡ଼ିବା ପାଇଁ ଏବେ “ଇନ୍ ଥିଙ୍କ୍ସ’’ ନାଁରେ ଆରମ୍ଭ କରିଛନ୍ତି ଏକ କମ୍ପାନୀ । ଓଡ଼ିଶାରେ ମିହଳାଙ୍କ ପ୍ରତି ଅସଦାଚରଣ ବର୍ତ୍ତମାନ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ, ସୁଶାନ୍ତଙ୍କ ଡିଭାଇସ୍ ଷ୍ଟ୍ରିଟ୍ ରୋମିଓମାନଙ୍କୁ ସାବାଡ଼ କରିପାରିବ ବୋଲି ଆଶା କରାଯାଉଛି ।