ସ୍ୱଦେଶ ଫେରିଲେ ଲେଡି ସୁଲତାନ ସାକ୍ଷୀ ମଲ୍ଲିକ

43

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ କୁସ୍ତିରେ ଭାରତ ପାଇଁ ବ୍ରୋଂଜ ପଦକ ଜିତି ସମ୍ମାନ ରଖିଥିବା ସାକ୍ଷୀ ମଲ୍ଲିକ ଭାରତ ଫେରିଛନ୍ତି । ଭାରତରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାକ୍ଷୀଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ବହୁ ମନ୍ତ୍ରୀଙ୍କ ସହ ତାଙ୍କ ପ୍ରଶଂସକଙ୍କ ଭିଡ ଜମିଥିଲା । ସାକ୍ଷୀଙ୍କୁ ଘରକୁ ପାଛୋଟି ଆଣିବା ଲାଗି ତାଙ୍କ ପରିବାରର ସମସ୍ତ ସଦସ୍ୟ ବିମାନବନ୍ଦରରେ ପହଂଚିଥିଲେ । ଦିଲ୍ଲୀରୁ ସେ ବାହାଦୁରଗଡକୁ ଯାଇଥିଲେ । ସେଠାରେ ତାଙ୍କୁ ବାଜା ବଜାଇ ସ୍ୱାଗତ କରାଯାଇଛି ।

ବାହାଦୁରଗଡରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ସ୍ୱାଗତ କରିଛନ୍ତି । ଏହାସହ ତାଙ୍କୁ ୨କୋଟି ୫୦ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ସାକ୍ଷୀଙ୍କୁ ହରିୟାଣା ପାଇଁ “ବେଟି ବଚାଓ ବେଟି ପଢାଓ’’ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ଘୋଷଣା କରାଯାଇଛି । ସାରା ଦେଶ ତାଙ୍କୁ ସହଯୋଗ କରିଥିବାରୁ ସେ ଏଥିପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିବା ତାଙ୍କ ସବୁଠୁ ବଡ ସ୍ୱପ୍ନ ଥିଲା । ଏବଂ ଏଥିପାଇଁ ସେ ଦୀର୍ଘ ୧୨ବର୍ଷ ହେଲା  ପରିଶ୍ରମ କରୁଥିଲେ ବୋଲି ସାକ୍ଷୀ କହିଛନ୍ତି ।