୮ ଦିନ ପରେ ମିଳିଲା ନିଖୋଜ୍ ବିମାନ ଏଏନ୍-୩୨ର ଭଗ୍ନାଂଶ, ପାଇଲଟ୍ ନିଖୋଜ୍ । ବାୟୁସେନା ପକ୍ଷରୁ ନିଖୋଜ୍ ୧୩ ଜଣଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ।

570

କନକ ବ୍ୟୁରୋ : ଗତ ୩ ତାରିଖରେ ଅରୁଣାଂଚଳ ପ୍ରଦେଶ ଆକାଶରେ ନିଖୋଜ ହୋଇ ଯାଇଥିବା ବାୟୁ ସେନା ବିମାନର ଭଗ୍ନାବଶେଷ ମିଳିଛି । ହେଲେ ବିମାନରେ ଥିବା ଓଡିଆ ପାଇଲଟ ସୁନିତ୍ ମହାନ୍ତିଙ୍କ ସହ ୧୩ ଜଣଙ୍କ ବିଷୟରେ କୌଣସି ପତା ମିଳିପାରିନାହିଁ । ଅରୁଣାଂଚଳ ପ୍ରଦେଶର ଲିପୋ ନାମକ ଏକ ସ୍ଥାନରୁ ପ୍ରାୟ ୧୬ କିଲୋମିଟର ଦୂର ଘଂଚ ଜଙ୍ଗଲ ଭିତରେ ବାୟୁ ସେନାର ଏଏନ୍-୩୨ ପରିବହନ ବିମାନର ଭଗ୍ନାବଶେଷ ମିଳିଛି ।

ଜୁନ ୩ ତାରିଖରେ ଆସାମରୁ ଉଡାଣ ଭରିଥିବା ଭାରତୀୟ ବାୟୁ ସେନାର ଏଏନ-୩୨ ପରିବହନ ବିମାନ ନିଖୋଜ ହୋଇଯିବା ପରେ ସେବେଠାରୁ ଏହାକୁ ଖୋଜିବା ପାଇଁ ବାୟୁସେନାର ଏକାଧିକ ହେଲିକପ୍ଟର ସର୍ଚ ଅପରେସନ ଚଳାଇଥିଲେ । ଓଡିଆ ପାଇଲଟ୍ ସୁନିତ୍ ମହାନ୍ତି ଚଳାଉଥିବା ଏହି ବିମାନ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ଶେଷରେ ୮ ଦିନ ପରେ ମଙ୍ଗଳବାର ଦିନ ମିଗ୍-୧୭ ହେଲିକପ୍ଟର ଏହି ବିମାନ ଭଗ୍ନାବଶେଷ ଠାବ କରିଛି । ଅରୁଣାଂଚଳ ପ୍ରଦେଶର ଟାଟୋ ନାମକ ଏକ ସ୍ଥାନରୁ ପ୍ରାୟ ୧୬ କିଲୋମିଟର ଦୂରରେ ଏଏନ-୩୨ ବିମାନର ଭଗ୍ନାବଶେଷ ଠାବ ହୋଇଛି । ୬ଜଣ କ୍ରିୟୁ ମେମ୍ବରଙ୍କ ସହ ୧୩ ଜଣ ବସିଥିବା ଭାରତୀୟ ବାୟୁସେନାର ଏହି ପରିବହନ ବିମାନର ଭଗ୍ନାବଶେଷକୁ ୧୨ ହଜାର ଫୁଟ ଉପରୁ ଠାବ କରିବାରେ ସକ୍ଷମ ହୋଇଛି ମିଗ୍-୧୭ ହେଲିକପ୍ଟର ।

ମଙ୍ଗଳବାର ଦିନ ପ୍ରାୟ ଗୋଟାଏରୁ ୨ଟା ମଧ୍ୟରେ ବିମାନକୁ ଠାବ କରିବାକୁ ସକ୍ଷମ ହୋଇଥିଲା ବାୟୁ ସେନାର ଏକ ସ୍ୱତନ୍ତ୍ର ଟିମ୍ । ତେବେ ବିମାନରେ ଥିବା ୧୩ ଜଣଙ୍କ ବିଷୟରେ କୌଣସି ସନ୍ଧାନ ମିଳି ନାହିଁ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଜୁନ୍ ୩ ତାରିଖରେ ଆସାମରୁ ଅରୁଣାଂଚଳ ପ୍ରଦେଶର ମେଚୁକା ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଆଡକୁ ଯାଉଥିଲା ଏଏନ-୩୨ ପରିବହନ ବିମାନ । ପ୍ରାୟ ଦିନ ଗୋଟାଏରେ ହଠାତ୍ ଗାଏବ ହୋଇଗଲା ବିମାନ । ଯେତେ ଚେଷ୍ଟା କଲେ ମଧ୍ୟ ଏହାର କୌଣସି ସନ୍ଧାନ ମିଳିପାରିଲା ନାହିଁ । ଏହାପରେ ସେନାବାହିନୀ ସମେତ ୧୫ଶହ ଲୋକଙ୍କୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ତଥାପି କୌଣସି ସନ୍ଧାନ ମିଳିପାରୁନଥିଲା । ଗଂଜାମ କବିସୂର୍ଯ୍ୟନଗରର ପାଇଲଟ ସୁନିତ୍ ମହାନ୍ତି ଏହି କ୍ରିୟୁ ଟିମରେ ସାମିଲ ଥିଲେ । ଜୁଲାଇ ୨୦୧୬ରେ ମଧ୍ୟ ଏକ ଏଏନ-୩୨ ପରିବହନ ବିମାନ ୨୯ ଜଣଙ୍କୁ ନେଇ ବଙ୍ଗୋପସାଗରରେ ପଡିଯାଇଥିଲା ।