ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ ! ଟିକେଟ ମିଳିବା ପରେ ବି ସବୁଜ ଶିବିରରେ ଯୋଗ ଦେଉଛନ୍ତି ଗେରୁଆ ଦଳର ବିଧାୟକ ପ୍ରାର୍ଥୀ

363

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ହେଉଛି । ଦଳବଦଳ ରାଜନୀତି ପାଇଁ ଚର୍ଚ୍ଚାରେ ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳଡିଆଁ ଅତି ସାଧାରଣ କଥା । ଟିକେଟ ନମିଳିବା ପରେ ଦଳ ଛାଡ଼ିବା ନିଷ୍ପତ୍ତି ସ୍ୱଭାବିକ । କିନ୍ତୁ ରାଜ୍ୟ ବିଜେପିର ଏହି ନୀତିର ବ୍ୟତିକ୍ରମ ଦେଖିବା ପାଇଁ ମିଳୁଛି । କାରଣ ବିଜେପି ଟିକେଟ ପାଇ ସୁଦ୍ଧା ନାମାଙ୍କନ ଭରିବା ପୂର୍ବରୁ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି ନେତା । ଟିକେଟ ପାଇବା ପରେ ବି ଦଳବଦଳ କଥା ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନିକଟରେ ଦୁଇ ଦୁଇ ଜଣ ବିଜେପି ବିଧାୟକ ପ୍ରାର୍ଥୀ ବିଜେଡ଼ିରେ ଯୋଗ ଦେଇଛନ୍ତି ।

ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଉପରେ ଭରସା ତୁଟାଇ ସବୁଜ ଶିବିରରେ ଯୋଗ ଦେଇଛନ୍ତି ଦୁଇ ଜଣ ବିଜେପି ବଧାୟକ ପ୍ରାର୍ଥୀ । ବିଜେପି ଟିକେଟ ପ୍ରତ୍ୟାଖ୍ୟାନ କରି ବିଜେଡ଼ିରେ ମିଶିବା ପରେ ଚିନ୍ତାରେ ରାଜ୍ୟର ଶୀର୍ଷ ନେତୃବୃନ୍ଦ । ଆନନ୍ଦପୁର ପୂର୍ବତନ ବିଧାୟକ ଭାଗିରଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେଇଥିଲା ବିଜେପି । ହେଲେ ଦଳରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରି ଦଳ ଛାଡ଼ିଥିଲେ ଭାଗିରଥୀ । ଅନ୍ୟପଟେ ଗେରୁଆ ଶିବିର ଛାଡ଼ି ସବୁଜ ଶିବିରରେ ଯୋଗଦେବା ପରେ ତାଙ୍କୁ ନିରାଶ ହେବାକୁ ପଡ଼ିନାହିଁ । ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାଗିରଥୀଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ସୂଚନାଯୋଗ୍ୟ ପୂର୍ବରୁ ବିଜେଡ଼ିରେ ଥିଲେ ଭାଗିରଥୀ ।

ସେହିପରି ଆଜି ବିଜେପିରୁ ଟିକେଟ ନେଇ ବିଜେଡ଼ିରେ ମିଶିଲେ କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା । ଗୈରିକ ଶିବିର ଛାଡ଼ି ସବୁଜ ଶିବିରକୁ ଲମ୍ଫ ପ୍ରଦାନ କରିଛନ୍ତି ତୁଷାରକାନ୍ତି । ନବୀନ ନିବାସରେ ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମର୍ଥକଙ୍କ ସମେତ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଦଳ ଛାଡ଼ିବା ସହ ଉଚ୍ଚ ଶିକ୍ଷିତ ଯୁବପୀଢ଼ିଙ୍କୁ ବିଜେଡ଼ିରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି ।

ଚଳିତ ନିର୍ବାଚନରେ ଦଳଡ଼ିଆଁ ନେତାଙ୍କୁ ଟିକେଟ୍ ଦେଇଛି ବିଜେପି । ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ବିଜେପିରେ ନେତୃତ୍ୱର ଅଭାବ ରହିଛି । ଗୋଟିଏ ପଟେ ବିଧାୟକ ପ୍ରାର୍ଥୀ ପଟେ ଛାଡ଼ୁଛନ୍ତି ଅନ୍ୟପଟେ ଆଜି ବିଜେପି ଆଡ଼କୁ ଗୁଗଲି ଫିଙ୍ଗିଛନ୍ତି ବିଜେଡ଼ି ସୁପ୍ରିମୋ । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାନ୍ତି । ତେଣୁ ସେମାନେ ବିଜେଡି କାର‌୍ୟ୍ୟାଳୟ ନିକଟରେ ନିଜର ପ୍ରାର୍ଥୀ ଖୋଜୁଛନ୍ତି । ନବୀନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।