ଯୋଗୀଙ୍କ ଘରେ ମନ୍ତୁରାପାଣି ! ୟୁପିରେ ମୁଖ୍ୟମନ୍ତ୍ରୀଙ୍କ ଆବାସର ହେଲା ଶୁଦ୍ଧିକରଣ

26

କନକ ବ୍ୟୁରୋ : ୟୁପିରେ ମୁଖ୍ୟମନ୍ତ୍ରୀଙ୍କ ଆବାସର ହେଲା ଶୁଦ୍ଧିକରଣ । ଗଣେଶଙ୍କ ଆବାହନ ସହ ବାସ୍ତୁଶାସ୍ତ୍ର ଅନୁସାରେ ହେଲା ସ୍ୱତନ୍ତ୍ର ପୂଜାପାଠ । କାରଣ ଏଇଠୁ ଆରମ୍ଭ ହେବ ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ । ସ୍ୱଭାବରେ ଜଣେ ସନ୍ଥ ହୋଇଥିବାରୁ ଏଭଳି ସୁଦ୍ଧପୁତ ହେବା ପରେ ଗୃହ ପ୍ରବେଶ କରିବେ ଯୋଗୀ । ବଦଳି ସାରିଛି ନାମଫଳକ, କେବଳ ଲଗ୍ନ ଦେଖି ଭଲ ଦିନରେ ମୁଖ୍ୟମନ୍ତ୍ରୀ ଆବାସକୁ ଆସିବେ ନୂଆ ମୁଖ୍ୟମନ୍ତ୍ରୀ ।
ଗୋରଖନାଥ ମଠର ମହନ୍ତ ଯୋଗୀ ଆଦିତ୍ୟନାଥ ଏବେ ୟୁପିର ନୂଆ ମୁଖ୍ୟମନ୍ତ୍ରୀ । ଜଣେ ହିନ୍ଦୁବାଦୀ ନେତା ଭାବେ ଜଣାଶୁଣା ଆଦିତ୍ୟନାଥ ବିଚାର ଓ ବ୍ୟବହାରରେ ସନ୍ଥ । ତେଣୁ କିଛି ନୂତନ କାମ ଆରମ୍ଭ କରିବା ପୂର୍ବରୁ ଏଭଳି ପୂଜନର ଆୟୋଜନ କରିଥାନ୍ତି । ଆଉ ଉତର ପ୍ରଦେଶର ଶାସନଭାର ସମ୍ଭାଳିବା ପୂର୍ବରୁ ଯେଉଁ ଆବାସରେ ରହି ରାଜ୍ୟର ଶାସନ ଡୋର ସମ୍ଭାଳିବେ ତାକୁ ଶୁଦ୍ଧ କରାଯାଇଛି । ନିଜେ ଯୋଗୀ ଆଦିତ୍ୟନାଥ ଗଣେଶ ପୂଜନ କରିଥିବା କହିଛନ୍ତି ପୂଜକ ।

ଗୋରଖପୁରରୁ ୭ଜଣ ପୂଜକ ଆସି ପୂଜା କାର୍ଯ୍ୟ ସମ୍ପାଦନା କରିଛନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିବାସର ସବୁ କୋଠରୀରେ ପୂଜାର୍ଚ୍ଚନା କରାଯାଇଛି । ଏପରିକି ପୂଜାରେବ୍ୟବହାର ସମସ୍ତ ସାମଗ୍ରୀ ମଧ୍ୟ ଗୋରଖପୁରରୁ ଆସିଥିବା ପୂଜକ ନେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନିବାସ ପରିସର ମଧ୍ୟରେ ଯୋଗୀ ଏକ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି । ଏନେଇ ମଧ୍ୟ ସେ ପୁରୋହିତଙ୍କ ସହ ଆଲୋଚନା କରିଛନ୍ତି । ପୂଜାକାର୍ଯ୍ୟ ସମ୍ପନ୍ନ ହେବା ପରେ ଲଗ୍ନ ଧାର୍ଯ୍ୟ କରି ଯୋଗୀ ଏକ ଭଲ ଦିନରେ ଗୃହ ପ୍ରବେଶ କରିବେ ବୋଲି ଜଣାପଡିଛି ।