ପିଏଚଡି ପାଣିରେ ପୋକ ! ସୁନ୍ଦରଗଡ ସହରରେ ପିଇବା ପାଣିକୁ ନେଇ ବଢୁଛି ଅସନ୍ତୋଷ

32

କନକ ବ୍ୟୁରୋ : ପିଇବା ପାଣିରେ ପୋକ । ସହରରେ ପିଏଚଡି ଯୋଗାଉଥିବା ପାଇପ୍ ପାଣିରେ ପୋକ । ଯାହାକୁ ନେଇ ସୁନ୍ଦରଗଡ ସହରରେ ଦେଖାଦେଇଛି ଜନଅସନ୍ତୋଷ । ତିନି ଦିନ ହେଲାଣି ପିଏଚଡି ପାଣିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି ।

ପିଏଚଡି ପାଣିରେ ପୋକ । ଏକଥା ଶୁଣିବାରୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାଣିରେ ପୋକ ସାଲୁବାଲୁ ହେଉଛନ୍ତି । ସହରର ଅନେକ ସ୍ଥାନରେ ପିଏଚଡି ଯୋଗାଉଥିବା ପାଣିରେ ପୋକ ବାହାରୁଥିବା ନେଇ ଅଭିଯୋଗ ହୋଇଛି । ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଥିଲା ।

ପ୍ରାୟ ୬୦ ବର୍ଷ ତଳର ପୁରୁଣା ପାଇପ୍ ଯୋଗେ ସହରରେ ପାଣି ଯୋଗାଯାଉଛି । ଆଉ ଏସବୁ ପାଇପକୁ ସହରର ଡ୍ରେନ ପାଖ ଓ ଡ୍ରେନ ମଧ୍ୟରେ ବିଛା ଯାଇଛି । ଫଳରେ ଅନେକ ସମୟରେ ପିଇବା ପାଣିରେ ଡ୍ରେନ ପାଣି ମିଶି ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ସେପଟେ ସହରବାସୀଙ୍କ ଅଭିଯୋଗକୁ ସ୍ୱୀକାର କରିଛନ୍ତି, ପିଏଚଡିର କନିଷ୍ଠ ଯନ୍ତ୍ରୀ । ପିଇବା ପାଣିରେ ଯଦି ପୋକ ତେବେ ଲୋକଙ୍କ ଶୋଷ ମେଂଟିବ କେମିତି? ଆଉ ଯଦି ଏହି ପାଣି ପିଇ ଲୋକ ରୋଗରେ ପଡନ୍ତି ତେବେ ଏଥିପାଇଁ ଦାୟି ରହିବ କିଏ?