ଦୁଇ ବର୍ଷ ମଧ୍ୟରେ ବିଶ୍ୱ ଦେଖିବ ବାଦଲ ଛୁଆଁ ବିଲ୍ଡିଂ । ବୁର୍ଜ ଖଲିଫା ମଧ୍ୟ ଏହା ନିକଟରେ ଦେଖାଯିବ ଛୋଟ ।

1,201

ଆଗାମୀ ଦୁଇ ବର୍ଷ ମଧ୍ୟରେ ବୁର୍ଜ ଖଲିଫା ଆଉ ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା ହୋଇ ରହିବ ନାହିଁ । ବୁର୍ଜ ଖଲିଫାର ସ୍ଥାନ ନେବାକୁ ଯାଉଛି ସାଉଦି ଆରବର ରିଆଦରେ ନିର୍ମାଣ ହେଉଥିବା ନବନିର୍ମିତ କୋଠା । ଏହି ନବନିର୍ମିତ କୋଠା ବୁର୍ଜ ଖଲିଫା ଠାରୁ ପାଖାପାଖି ୧୮୦ ମିଟର ବା ୫୯୧ ଫୁଟ ଅଧିକ ରହିବ ।

ବିଶ୍ୱର ଏହି ସର୍ବବୃହତ ଅଟ୍ଟାଳିକାକୁ ନିର୍ମାଣ କରିବାକୁ ୧.୨୩ ବିଲିୟନ ୟୁଏସ ଡଲାର ବା ୮୭୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ଏହି ଖର୍ଚ୍ଚର ପରିମାଣ ଆଗକୁ ବଢିପାରେ ବୋଲି କୁହାଯାଉଛି । ଏହି ଉଚ୍ଚ ଅଟ୍ଟାଳିକାରେ ୨୦୦ରୁ ଅଧିକ ଫ୍ଲୋର ରହିବ । ୨୧୯୨ ଫୁଟ ବା ୬୬୮ ମିଟର ଉପରେ ଏହାର ଶେଷ ଫ୍ଲୋର ରହିବ । ଏହି ବିଲ୍ଡିଂରେ ୫୫ଟି ସିଙ୍ଗଲ ଡେକ୍ ଲିଫ୍ଟ ରହିବାକୁ ଥିବା ବେଳେ ୪ଟି ଡବଲ ଡେକ ଲିଫ୍ଟ ରହିବ ।

ବୁର୍ଜ ଖଲିଫା ବିଲ୍ଡିଂର ନକ୍ସା ପ୍ରସ୍ତୁତ କରିଥିବା ଏଡ୍ରିୟନ ଡି ସ୍ମିଥ ଏହି ବିଲ୍ଡିଂର ନକ୍ସା ପ୍ରସ୍ତୁତ କରିଛନ୍ତି । ଜେଦ୍ଦାହ ଇକୋନୋମିକ କମ୍ପାନି ଏହି ବିଲ୍ଡିଂ ନିର୍ମାଣ କରୁଛି । ୨୦୧୫ ମସିହାରୁ ଏହି ବିଲ୍ଡିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ୪୭ଟି ଫ୍ଲୋର ନିର୍ମାଣ ସରିଲାଣି ।  ଏହି ବିଲ୍ଡିଂର ଉଚ୍ଚତା ଏକ କିଲୋମିଟରରୁ ଟିକିଏ ଅଧିକ ରହିବ । ପୂର୍ବରୁ ନିର୍ମାଣ ହୋଇଥିବା ବୁର୍ଜ ଖଲିଫାର ଉଚ୍ଚତା ୮୨୮ ମିଟର ରହିଛି ।

ବେସମେଣ୍ଟ ଠାରୁ ଆରମ୍ଭ କରି ୯୦-୯୨ ଫ୍ଲୋର ପର୍ଯ୍ୟନ୍ତ ଅଫିସ, ପାର୍କିଙ୍ଗ ଓ ମେସିନ ରହିବ । ସେହିଭଳି ୯୩ରୁ ୧୧୩ ଫ୍ଲୋର ପର୍ଯ୍ୟନ୍ତ ରୁମ୍ ରହିବ । ଯେଉଁଠି ଲୋକେ ବସବାସ କରିବେ । ୧୧୪ ନମ୍ବର ଫ୍ଲୋରରେ ମେସିନ ରହିବାକୁ ଥିବା ବେଳେ ୧୧୫ରୁ ୧୫୬ ତମ ଫ୍ଲୋରରେ ହୋଟେଲ, ରେଷ୍ଟୁରାଣ୍ଟ ରହିବ । ଏହା ଉପର ଫ୍ଲୋର ଗୁଡିକରେ ମଧ୍ୟ ମେସିନ ରହିବ ।