ଜଳ ଦିବସରେ ଜଳ ଚିନ୍ତା : ବିଶ୍ୱର ୨୦୦ ସହରରେ ଉତ୍କଟ ଜଳ ସମସ୍ୟା ନେଇ ରିପୋର୍ଟ, ଆଗାମୀ ଦିନରେ ୧୦ଟି ପ୍ରମୁଖ ସହରରେ ମିଳିବନି ପାଣି

89

କନକ ବ୍ୟୁରୋ : ଜଳ ହିଁ ଜୀବନ । ଜଳ ଅଭାବ ହେଲେ ଜୀବନଯାପନ କେତେ କଷ୍ଟକର କହିବା ମୁସ୍କିଲ । ଜଳକଷ୍ଟ ନେଇ ଏକ ରିପୋର୍ଟରେ ସତର୍କବାଣୀ ଶୁଣାଯାଇଛି । ରିପୋର୍ଟ ଅନୁଯାୟୀ ବିଶ୍ୱର ୨୦୦ଟି ସହର ଏବେ ଉତ୍କଟ ଜଳକଷ୍ଟରେ ପୀଡ଼ିତ । ସେହିପରି ବାଙ୍ଗାଲୋର ପରି ୧୦ଟି ମେଟ୍ରୋପଲିଟାନ ସହର ଜଳ ସଂକଟରେ ପୀଡ଼ିତ । ବାଙ୍ଗାଲୋର ପରି ଚୀନର ବେଜିଂ, ପାକିସ୍ତାନର କରାଚୀ, ଆଫଗାନିସ୍ତାନର କାବୁଲ ପରି ସହରରେ ଜଳ ସଂକଟ ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଏହି ୧୦ଟି ସହରରେ ଆଉ କିଛି ବର୍ଷ ପରେ ଜଳ ସରିଯିବ ବୋଲି ମଧ୍ୟ ରିପୋର୍ଟରେ ଚେତାବନି ଦିଆଯାଇଛି ।

ବିଜ୍ଞାନ ଓ ପରିବେଶ ଉପରେ ଗବେଷଣା କରୁଥିବା ଏକ ଥିଙ୍କଟ୍ୟାଙ୍କ ଏହି ରିପୋର୍ଟ ଦେଇଛି । ଆଜି ବିଶ୍ୱ ଜଳ ଦିବସ ପାଳନ ଅବସରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଜାତିସଂଘ ଦ୍ୱାରା ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ୧୯୯୨ରୁ ବିଶ୍ୱ ଜଳ ଦିବସ ପାଳନ ହୋଇ ଆସୁଛି । ପ୍ରଥମେ ଏହା ବ୍ରାଜିଲର ରିଓଡି ଜେନେରିଓରେ ପାଳନ ହୋଇଥିଲା । ବିଶ୍ୱରେ ବଢ଼ିଚାଲିଥିବା ଜଳ ସଂକଟ ଓ ଜଳ ପ୍ରଦୂଷଣ ସମ୍ପର୍କରେ ସଚେତନା ସୃଷ୍ଟି ଏହାର ଲକ୍ଷ୍ୟ । ଚଳିତବର୍ଷର ବିଶ୍ୱ ଜଳ ଦିବସର ଥିମ ରହିଛି “ଜଳ ପାଇଁ ପ୍ରକୃତି’ ।