ଆଜି ବିଶ୍ୱ ଆଦିବାସୀ ଦିବସ ! ନିଜର ମୌଳିକ ଅଧିକାର ପାଇଁ ପାରମ୍ପାରିକ ବାଦ୍ୟ ଓ ବେଶଭୂଷାରେ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଆଦିବାସୀ

52

କନକ ବ୍ୟୁରୋ : ବିଶ୍ୱ ଆଦିବାସୀ ଦିବସ । ଆଜିର ଦିନଟିକୁ ମାଲକାନଗିରିରେ ପାଳନ କରାଯାଇଛି । ନିଜର ମୌଳିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଆଦିବାସୀ ବହୁଳ ଟ୍ରାଇବାଲ ସବ ପ୍ଲାନ୍ ଅଂଚଳରେ ରହୁଥିବା ଆଦିବାସୀ । ବିଭିନ୍ନ ଅଭିଯୋଗ ନେଇ ମାଲକାନଗିିରି ଜିଲ୍ଲା ଆଦିବାସୀ ସମାଜ ମାହାସଂଘ ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି । ଜିଲ୍ଲାର କୋୟା, ଗାଦବା, ଦିଦାୟୀ, ପରଜା ବଣ୍ଡା ଆଦି ସମସ୍ତ ଜନଜାତିର ହଜାରରୁ ଅଧିକ ଆଦିବାସୀ ପାରମ୍ପାରିକ ବାଦ୍ୟ ଓ ବେଶଭୂଷା ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଂଚିଥିଲେ ।

ସମ୍ବିଧାନର ୨୪୪ ଧାରାର ସେଡୁଲ ୫କୁ ମାଲକାନଗିରିରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି । ଆଦିବାସୀ ଯୁବକ ଯୁବତୀଙ୍କୁ ଜନସଂଖ୍ୟା ଅନୁପାତରେ ଚାକିରି ପ୍ରଦାନ, ଭୁମିହୀନଙ୍କୁ ଜମି ପଟ୍ଟା ପ୍ରଦାନ, ବ୍ୟାଙ୍କରୁ ଚାଷ ଏବଂ ଘରବାଡି, ଶିକ୍ଷା ଋଣ ପ୍ରଦାନ ଏବଂ ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସକୁ ଛୁଟି ଘୋଷଣା ଆଦି ୯ ଦଫା ଦାବି ଉପସ୍ଥାପନ କରିଛି ଆଦିବାସୀ ମହାସଂଘ । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଛି । ତେବେ ଆଗାମୀ ଦିନରେ ଆଦିବାସୀଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନିଆନଗଲେ ଜିଲ୍ଲାପାଳ ଅଫିସକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛି ସଂଘ ।