ଆଜି ବିଶ୍ୱ କିଡନୀ ଦିବସ : ସାରା ବିଶ୍ୱରେ ୮୫ କୋଟି ଲୋକ ଏହି ଭୟାବହ ରୋଗରେ ପୀଡିତ , କିଡନୀ ରୋଗକୁ ନେଇ କ’ଣ କୁହନ୍ତି ଡାକ୍ତର ଜାଣନ୍ତୁ । 

461

ସ୍ୱାସ୍ଥ୍ୟ ପ୍ରତି ସଜାଗ ନ ରହିଲେ ନାନାଦି ପ୍ରକାରର ରୋଗ ଶରୀରକୁ ଗ୍ରାସ କରେ । ଆଜିର ସମୟରେ ଅଧିକାଂଶ ଲୋକ ଖାଦ୍ୟପେୟରେ ଅନିୟମିତତା ଏବଂ ଜଙ୍କଫୁଡ୍ ଅତ୍ୟଧିକ ଖାଇବା ଯୋଗୁଁ କିଡନୀ ରୋଗରେ ପୀଡିତ ହୋଇଥାନ୍ତି । ଠିକ୍ ସମୟରେ ଏହାର ନିରାକରଣ ନ କଲେ ପରେ ଏହି ରୋଗ ଅନେକ ଦାଉ ସାଧିଥାଏ । ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନାହିଁ । କିଡନୀ ପ୍ରତ୍ୟାରୋପଣ ପରେ ବି କିଛି ଲୋକଙ୍କ ମଧ୍ୟରେ ସମସ୍ୟା ଲାଗି ରହିଥାଏ । ତେବେ ଆଜି ହେଉଛି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୧୨ ତାରିଖକୁ ବିଶ୍ୱରେ କିଡନୀ ଦିବସ ରୁପେ ପାଳନ କରାଯାଏ । କିଡନୀର ସୁରକ୍ଷା ପାଇଁ ଡାକ୍ତର ଏସ.କେ ଅଗ୍ରୱାଲ୍ କୁହନ୍ତି , ଆମ ପାଖକୁ ଏଭଳି ଅନେକ କେସ୍ ଆସିଛି ଯେଉଁଠାରେ କିଡନୀ ପ୍ରତ୍ୟାରୋପଣ ପରେ ରୋଗୀକୁ ସିଏନବି ଏବଂ ବିକେ ଭାଇରସ୍ ସଂକ୍ରମଣ କରିଥାଏ । ଯେଉଁଥିପାଇଁ ପ୍ରତ୍ୟାରୋପଣ ପରେ ବି ରୋଗୀକୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଯେଉଁ ପରିବାରରେ କିଡନୀ ସମସ୍ୟା ଦେଖାଯାଏ , ସେହି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩୫ ବର୍ଷରୁ ଅଧିକ ସମୟ ହେଲା ପରେ ପ୍ରତିବର୍ଷ ଜାଞ୍ଚ୍ କରିବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ , ବର୍ତ୍ତମାନ ଦୁନିିଆରେ ୮୫ କୋଟି ଲୋକ କିଡନୀ ରୋଗରେ ପୀଡିତ ଅଛନ୍ତି । 

ଶରୀରର ଏକ ଅମୂଲ୍ୟ ସମ୍ପଦ ହେଉଛି କିଡନୀ । ଏହା ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ମଣିଷ ଶରୀରରେ ଦୁଇଟି କିଡ଼ନୀ ଥିବା ବେଳେ ଗୋଟିଏ ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ । କିନ୍ତୁ ଲୋକମାନେ ଏହି ଲକ୍ଷଣକୁ ଜାଣି ନ ପାରି ଅସୁବିଧାରେ ପଡ଼ିଥାନ୍ତି । ତେବେ କିଡ଼ନୀ ଖରାପ ହେବା ପୂର୍ବରୁ ଏହାର ଲକ୍ଷଣ ସବୁ ଜାଣିରଖିବା ଉଚିତ୍ ।

୧. ପେଟ ବିନ୍ଧା ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କ ପେଟର ବାମ ପଟ ବା ଡ଼ାହାଣ ପଟ ଜୋରରେ ବିନ୍ଧା ହେଉଛି । ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କିଡ଼ନୀ ଖରାପ ହେବାର ସଙ୍କେତ ହୋଇପାରେ ।

୨. ହାତ ଏବଂ ଗୋଡ଼ ସିଝିବା ପରି ଦିଶିବାର ଅନେକ କାରଣ ରହିଛି । କିନ୍ତୁ ଏହା କିଡ଼ନୀ ଖରାପର କାରଣ ମଧ୍ୟ ହୋଇପାରେ । କିଡ଼ନୀ ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥ ଜମି ଯାଇଥାଏ । ଯାହା ଦ୍ୱାରା ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ ପଡ଼ି ଯାଇଥାଏ ।

୩. ପରିସ୍ରାରେ ରକ୍ତ ଆସିଲେ ଏହାକୁ ଅଣଦେଖା ନ କରି ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ । ଏହା କିଡ଼ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।

୪. ଯଦି ହଠାତ୍ ଆପଣଙ୍କର ଅଜାଣତରେ ପରିସ୍ରା ବାହାରକୁ ଆସି ଯାଉଛି ବା ଏହାକୁ ଆପଣ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି ତେବେ ଏହା କିଡ଼ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।

୫. କୌଣସି ଶାରୀରିକ କାମ ନ କରି ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତେବେ ଏହା କିଡ଼ନୀ ଖରାପ ହେବାର ଲକ୍ଷଣ ହୋଇପାରେ । ଥକାପଣ ଅନୁଭବ କଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ ।