ବିଶ୍ୱ ହକି ଲିଗ୍ ପାଇଁ ବାଜିଲା ବିଗୁଲ ! କ୍ରିକେଟର କିମିଆକୁ ପଛରେ ପକାଇଲା ହକି, ଆୟୋଜନ କରି ଓଡ଼ିଶା ଦେଖାଇଲା ଦମ

47

କନକ ବ୍ୟୁରୋ : ଓଡିଶାରେ ଏବେ ହକି ଫିଭର । କ୍ରିକେଟକୁ ପଛରେ ପକାଇ ଦବଦବା ଜାହିର କରିଛି ହକି । ଆଜି ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ବିଶ୍ୱ ହକି ଲିଗ୍ । ଭାରତର ଏହି ସର୍ବଶ୍ରେଷ୍ଠ ଷ୍ଟାଡିୟମରେ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ମଧ୍ୟରେ ଲଢେଇ ହେବ । ଏଥିରୁ ବିଶ୍ୱକପ୍ ହକି ପାଇଁ ବି ଯୋଗ୍ୟତା ଅର୍ଜନ କରିବେ ଦଳ । ହକି ମହାକୁମ୍ଭର ଆରମ୍ଭ । ହକିର ହବ୍ ପାଲଟିଯାଇଛି ଓଡିଶା । ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ ଭିତରେ ଆରମ୍ଭ ହୋଇଛି ବିଶ୍ୱକପ ହକି ଲିଗ୍ । ଦେଶର ସବୁଠାରୁ ଭଲ ହକି ଷ୍ଟାଡିୟମ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ବିଶ୍ୱ ହକି ଲିଗ୍ । ମଂଚ ସଜା ସରିଛି । ପ୍ରସ୍ତୁତ ହୋଇସାରିଛନ୍ତି ଯୋଦ୍ଧା । ଆଉ ପଡିଆକୁ ଓହ୍ଲାଇବେ ବିଶ୍ୱର ଭେଟରାନ ହକି ତାରକା ।

vlcsnap-2017-12-01-19h43m46s373କ୍ରିକେଟର କ୍ରେଜକୁ ପଛରେ ପକାଇ ଭାରତର ଜାତୀୟ ଖେଳ ହକି ପ୍ରତି ଓଡିଶାର ଦର୍ଶକ ଯେଉଁ ଆଗ୍ରହ ଦେଖାଇଛନ୍ତି ତାହା ଏତେବଡ ବିଶ୍ୱସ୍ତରୀୟ ଆୟୋଜନକୁ ସଫଳତା ଆଡକୁ ମୁହାଁଇ ନେଇଛି । ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ବିଶ୍ୱର ୮ଟି ବଛାବଛା ହକି ଟିମ୍ । ଆଉ ଓଡିଶା ଦର୍ଶକ ଦେଖିବେ ଅନ୍ତର୍ଜାତୀୟ ଖେଳାଳିଙ୍କ ପଡିଆରେ ସଂଘର୍ଷ ।

ସାରା ଦେଶରେ କ୍ରିକେଟକୁ ନେଇ କ୍ରେଜ ଭିତରେ ଓଡିଶାରେ ହକି ଖେଳ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ପୁଣି ଜାତୀୟ ଖେଳର ଚାହିଦାକୁ ଦର୍ଶାଉଛି । ୧୦ ଦିନ ଧରି ଚାଲିବ ବିଶ୍ୱ ହକି ଲିଗ । ମୋଟ ୮ଟି ଦେଶର ହକି ଟିମ୍ ପରସ୍ପର ସହ ମୁହାଁମୁହିଁ ହେବେ । ପୁଲ ଏରେ- ଆର୍ଜେଂଟିନା, ନେଦରଲ୍ୟାଣ୍ଡସ, ବେଲଜିୟମ ଓ ସ୍ପେନ ଥିବାବେଳେ ପୁଲ ବିରେ ଅଛନ୍ତି- ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ ଓ ଇଂଲଣ୍ଡ ଅଛନ୍ତି । ପ୍ରଥମ ଦିନରେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଲଢେଇ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଏସବୁ ଭିତରେ ମ୍ୟାଚ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ବ୍ଲୁ ଟ୍ରଫରେ ୮ଟି ଶ୍ରେଷ୍ଠ ଦଳ ଦେଖାଇବେ ଜଲୱା ।

ଓଡିଶା ମାଟିରେ ଘରୋଇ ଖେଳାଳିଙ୍କ ଗେମ୍ ଦେଖିବାକୁ ଦର୍ଶକଙ୍କ ଭିତରେ ରହିଛି ଅଧିକ ଉତ୍ସାହ । କାରଣ ଭାରତୀୟ ଟିମରେ ଖେଳୁଛନ୍ତି ତିନିଜଣ ଓଡିଆ ଖେଳାଳୀ । ଦୀପସାନ ତିର୍କୀ, ବାରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ଗୋଟିଏ ପଟେ ୮ଟି ଦଳ ମଧ୍ୟରେ ବିଶ୍ୱ କପ୍ ଯୋଗ୍ୟତା ପାଇଁ ଲଢେଇ ଚାଲିଛି, ଆଉ ଅନ୍ୟପଟେ କଳିଙ୍ଗ ଷ୍ଟାଡିଅମ୍ ବାହାରେ ରାଜନୈତିକ ପ୍ରଚାରର ଯୁଦ୍ଧ ଚାଲିଛି । ଛାଇଯାଇଛି ଦଳୀୟ ପୋଷ୍ଟର । ଗୋଟିଏ ପଟେ ମୋଦି, ଆଉ ଅନ୍ୟପଟେ ନବୀନ ।ହକିରେ ନବୀନଙ୍କ ମାଇଲେଜକୁ ରୋକ ଲଗାଇବା ପାଇଁ ବିଜେପି ଆଜି ମାରିଛି ମୋଦିଙ୍କ ବ୍ୟାନର । ବାହାରେ ଗୋଟିଏ ବ୍ୟାନରରେ ନବୀନ ପଟ୍ଟନାୟକ ଆଉ ଗୋଟିଏ ବ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳିଙ୍ଗ ଷ୍ଟାଡିୟମ ବାହାରେ ନବୀନ- ମୋଦିଙ୍କ ବ୍ୟାନର ଛାଇ ହୋଇଯାଇଛି । ଓଏନଜିସି ପକ୍ଷରୁ ମୋଦିଙ୍କ ବ୍ୟାନର ଲଗାଯାଇଛି । ଯେଉଁଥିରେ ମୋଦି ହକି ଖେଳାଳିଙ୍କୁ ସ୍ୱାଗତ କରିଛନ୍ତି । ବିଶ୍ୱ ହକି ଲିଗ ଆୟୋଜନର ସଂପୂଣ୍ଣ ଶ୍ରେୟ ନବୀନ ପଟ୍ଟନାୟଙ୍କୁ ଯାଉଥିବାରୁ ବିଜେପି ଚେକ ଦେବା ପାଇଁ ବ୍ୟାନର ଯୁଦ୍ଧ ଆରମ୍ଭ କରିଛି ।