ଦୁଃଖ ଆଣିଲା ଜାତିସଂଘର ସୁଖୀ ଦେଶର ତାଲିକା ! ଭାରତୀୟଙ୍କ ଠାରୁ ଅଧିକ ଖୁସିରେ ପାକିସ୍ତାନ, ଜାଣନ୍ତୁ ସୁଖୀ ତାଲିକାରେ ଭାରତର ସ୍ଥାନ କେଉଁଠି

41

ବର୍ଷକୁ ବର୍ଷ ଭାରତରେ ହଜିଯାଉଛି ଖୁସି । ଜାତିସଂଘର ଖୁସି ତାଲିକାରେ ୧୫୬ଟି ଦେଶ ମଧ୍ୟରୁ ୧୩୩ ତମ ସ୍ଥାନରେ ରହିଛି ଭାରତ । ଗତବର୍ଷ ତୁଳନାରେ ୧୧ ଟି ଦେଶ ତଳକୁ ଚାଲି ଯାଇଛି । ଆଉ ସବୁଠୁ ଗୁରତ୍ୱପୂର୍ଣ୍ଣ ହେଉଛି ଏହି ରିପୋର୍ଟ ଅନୁସାରେ ଅଭ୍ୟନ୍ତର କନ୍ଦଳରେ ବୁଡ଼ି ରହିଥିବା ପାକିସ୍ତାନର ଅଧିବାସୀ, ଭାରତୀୟଙ୍କ ଠାରୁ ଢେର ଅଧିକ ଖୁସି । ଖୁସି ଦେଶ ତାଲିକାରେ ପାକିସ୍ତାନର ସ୍ଥାନ ୭୫ରେ ରହିଛି । ଆୟ, ସାମାଜିକ ନିରାପତା, ସ୍ୱାଧୀନତା, ସ୍ୱାସ୍ଥ୍ୟ ସୁରକ୍ଷା ଆଦି ୬ଟି ମାନାଙ୍କକୁ ନେଇ ଏହି ତାଲିକା ପ୍ରକାଶ କରିଛି ମିଳିତ ଜାତିସଂଘ ।

ଜାତିସଂଘର ୱାର୍ଲଡ ହ୍ୟାପିନେସ୍ ଦେଶ ତାଲିକା ପ୍ରକାଶ ପରେ ଭାରତୀୟଙ୍କ ମୁହଁରୁ ହସ ଲିଭିଯାଇଛି । କାରଣ ଖୁସି ତାଲିକାରେ ତଳକୁ ଖସିଛି ଭାରତ । ଏହି ତାଲିକାରେ ୧୫୬ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୩କୁ ଖସି ଆସିଛି । ୨୦୧୮ ତାଲିକାରେ ଗତ ବର୍ଷ ତୁଳନାରେ ୧୧ ସ୍ଥାନ ତଳକୁ ଯାଇଛି ଭାରତ । ୨୦୧୭ରେ ୧୨୨ତମ ସ୍ଥାନରେ ଥିବା ଭାରତ, ୨୦୧୬ରେ ରହିଥିଲା ୧୧୮ ସ୍ଥାନରେ । ପରିସଂଖ୍ୟାନ କହୁଛି ବିଶ୍ୱର ଖୁସି ରାଷ୍ଟ୍ର ତାଲିକାରେ କ୍ରମାଗତ ତିନି ବର୍ଷ ଧରି ତଳକୁ ଖସିଚାଲିଛି ଭାରତ ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆତଙ୍କବାଦ ଓ ଆର୍ଥିକ ସମସ୍ୟାରେ ଲଢୁଥିବା ପଡ଼ୋଶୀ ପାକିସ୍ତାନ ୫ଟି ସ୍ଥାନ ଉପରକୁ ଉଠି ଖୁସି ତାଲିକାର ୭୫ ତମ ସ୍ଥାନରେ ରହିଛି । କେବଳ ପାକିସ୍ତାନ ନୁହେଁ ଭାରତଠାରୁ ଆଗରେ ଅଛନ୍ତି ଚୀନ, ନେପାଳ, ଭୁଟାନ, ବାଙ୍ଗଲାଦେଶ, ମ୍ୟାନମାର, ଶ୍ରୀଲଙ୍କା ଆଦି ପଡୋଶୀ ଦେଶ । ଚୀନ – ୮୬, ଭୁଟାନ – ୯୭, ନେପାଳ – ୧୦୧, ବାଙ୍ଗଲାଦେଶ – ୧୧୫, ଶ୍ରୀଲଙ୍କା – ୧୧୬, ମ୍ୟାନମାର – ୧୩୦ ସ୍ଥାନରେ ଅଛନ୍ତି ।

୬ଟି ମାନାଙ୍କକୁ ନେଇ ଏହି ଖୁସି ତାଲିକା ପ୍ରକାଶ କରିଛି ଜାତିସଂଘ । ବାର୍ଷିକ ଆୟ, ସ୍ୱାସ୍ଥ୍ୟସେବା, ସାମାଜିକ ନିରାପତ୍ତା, ଦୁର୍ନୀତି ମୁକ୍ତ ସମାଜ, ସ୍ୱାଧୀନତା, ପରସ୍ପର ମଧ୍ୟରେ ବିଶ୍ୱାସ ଓ ଉଦାରତା ଆଧାରରେ ଏହି ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ମାନାଙ୍କ ଆଧାରରେ ଦୁନିଆର ସବୁଠୁ ଖୁସି ରାଷ୍ଟ୍ର ହେଉଛି ଫିନଲ୍ୟାଣ୍ଡ । ପ୍ରଥମ ୧୦ଟି ଦେଶ ଭିତରେ ସ୍ଥାନ ପାଇଛନ୍ତି – ନରୱେ, ଡେନ୍ମାର୍କ, ଆଇସ୍ଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, କାନାଡା, ନ୍ୟୁଜିଲ୍ୟାଣ୍ଡ, ସ୍ୱିଡେନ୍ ଓ ଅଷ୍ଟ୍ରେଲିଆ । ତେବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରହିଛି ୧୮ ନମ୍ବର ସ୍ଥାନରେ । ଆଉ ଇଂଲଣ୍ଡର ସ୍ଥାନ ୧୯ ।