ଆଜି ବିଶ୍ୱ ହସ୍ତୀ ଦିବସ: ଝୋଟି, ଚିତା ଓ ଚାନ୍ଦୁଆରେ ସଜ ହେବେ ନନ୍ଦନକାନରେ ୬ ହାତୀ, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଦେଢବର୍ଷର ମାମା

232

କନକ ବ୍ୟୁରୋ: ଆଜି ହାତୀ ଦିବସ । ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା । ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଥିବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି । ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି ।

ଏହି ଅବସରରେ ନନ୍ଦନକାନନରେ ଆୟୋଜନ କରାଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନନ୍ଦନକାନନରେ ଥିବା ନନ୍ଦନକାନନର ହାତୀ ପ୍ରେମା, ବାସନ୍ତୀ, ହୀରା, ଗୌରୀ, କମଳା ଓ ମାମାକୁ ଝୋଟି ଚିତା ଓ ପିପିଲିର ସୁନ୍ଦର ଚାନ୍ଦୁଆରେ ସୁସଜ୍ଜିତ କରାଯାଉଛି । ଏଥର ହସ୍ତୀ ଦିବସର ମୁଖ୍ୟ ଆକର୍ଷଣ ପାଲଟିବ ଦେଢ ବର୍ଷର ହାତୀ ମାମା । ପ୍ରଥମେ ତାକୁ ମୁଖ୍ୟ ଅତିଥି ଫଳ ପରଷିବେ । ଏହାପରେ ଅନ୍ୟ ହାତୀମାନଙ୍କୁ ଫଳ ପରଷା ଯିବ । ହାତୀ ଓ ମଣିଷମାନଙ୍କ ଭିତରେ ତିକ୍ତତା ଦୂର କରିବା ସହ ହାତୀ ବଂଶକୁ ସଂରକ୍ଷିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଆଜିର ଦିନରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି ।

 

ତେବେ ଜଙ୍ଗଲ କ୍ଷୟ ଯୋଗୁଁ ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଏମିତିକି ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି । କେତେକ ସ୍ଥାନରୁ ହାତୀ ମୃତ୍ୟୁର ଖବର ବି ଆସିଛି । ହାତୀଙ୍କ ଭିତରେ ଲଢେଇ ହେଉ ବା ବିଦ୍ୟୁତ ସଂସ୍ପର୍ଶରେ ଆସି ବହୁ ହାତୀଙ୍କ ମୃତ୍ୟୁ ହୋଇଛି । ତେବେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯିବା ଉଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି ।