ବିଶ୍ୱକପକୁ ନେଇ ମ୍ୟାକକୁଲମଙ୍କ ବଡ ଭବିଷ୍ୟବାଣୀ । ସେମିଫାଇନାଲ ଖେଳିବ ଭାରତ, ଲିଗ୍ ପର୍ଯ୍ୟାୟରେ ୯ରୁ ୮ଟି ମ୍ୟାଚରେ ବାଜି ମାରିବ ଟିମ୍ ଇଣ୍ଡିଆ ।

337

କନକ ବ୍ୟୁରୋ : ଆରମ୍ଭ ହୋଇଛି କ୍ରିକେଟ ବିଶ୍ୱକପ । ଟାଇଟଲ ହାତେଇବା ପାଇଁ ବିଶ୍ୱର ଶ୍ରେଷ୍ଠ ୧୦ ଟିମ୍ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ । ଚଳିତ ବିଶ୍ୱକପ କିଏ ହାତେଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବଡ ବଡ କ୍ରିକେଟର ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି । ଆଉ ଏସବୁ ଭିତରେ ନ୍ୟୁଜିଲାଣ୍ଡ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମ ବିଶ୍ୱକପ କ୍ରିକେଟର ପ୍ରତ୍ୟେକ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଛନ୍ତି । କେଉଁ ଦଳ କେତୋଟି ମ୍ୟାଚରେ ବିଜୟୀ ହେବ ସେନେଇ ସ୍ପଷ୍ଟ କରିଛନ୍ତି ମ୍ୟାକକୁଲମ ।

ମ୍ୟାକକୁଲମଙ୍କ କହିବା ଅନୁଯାୟୀ, ଆୟୋଜକ ଇଂଲଣ୍ଡ ସମେତ ଭାରତ ଓ ଅଷ୍ଟ୍ରେଲିଆ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ବେଶ ଆରାମରେ ପହଞ୍ଚିବ । ତେବେ ଚତୁର୍ଥ ଦଳ ଭାବେ କେଉଁ ଦଳ ସେମିଫାଇନାଲ ଟିକେଟ ହାସଲ କରିବ ସେନେଇ ସ୍ପଷ୍ଟ କରିନାହାନ୍ତି । ଚତୁର୍ଥ ଟିମ୍ ଭାବେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଟପ୍ ଫାଇଟ ଦେଖିବାକୁ ମିଳିବ । ତେବେ ଯେଉଁ ଟିମର ଉନ୍ନତ ରନ୍ ରେଟ୍ ରହିବ ସେହି ଦଳ ସେମିଫାଇନାଲରେ ପ୍ରବେଶ କରିବ ବୋଲି କହିଛନ୍ତି ମ୍ୟାକକୁଲମ ।

ବିଶ୍ୱକପରେ ଭାରତ ୯ଟି ମ୍ୟାଚରୁ ୮ଟି ମ୍ୟାଚରେ ବିଜୟ ଲାଭ କରିବ । ତେବେ ଆୟୋଜକ ଇଂଲଣ୍ଡ ଠାରୁ ଭାରତ ପରାଜୟ ବରଣ କରିବ ବୋଲି କହିଛନ୍ତି ମ୍ୟାକକୁଲମ । ସେହିଭଳି ଅଷ୍ଟ୍ରେଲିଆ ୬ଟି ମ୍ୟାଚରେ ବିଜୟ ଲାଭ କରିବ କିନ୍ତୁ ଭାରତ, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଠାରୁ ପରାଜୟ ବରଣ କରିପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ମ୍ୟାକକୁଲମ । ଇଂଲଣ୍ଡ ମଧ୍ୟ ଭାରତ ଭଳି ସମାନ ସଂଖ୍ୟକ ୮ଟି ମ୍ୟାଚରେ ବିଜୟୀ ହୋଇପାରେ ଓ କେବଳ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବ ବୋଲି କହିଛନ୍ତି ମ୍ୟାକକୁଲମ ।