ଉତ୍ତରକୋରିଆର ଉଦଯାନ ବୋମା ପରୀକ୍ଷଣକୁ ବିଶ୍ୱର ନିନ୍ଦା ! ଆଜି ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ କାଳିନୀ ବୈଠକ

44

କନକ ବ୍ୟୁରୋ : ଉତ୍ତରକୋରିଆର ପରମାଣୁ ବୋମା ପରୀକ୍ଷଣକୁ ନେଇ ଆଜି ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ କାଳୀନ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ସୁରକ୍ଷା ପରିଷଦର ସମସ୍ତ ୧୫ ସଦସ୍ୟ ଦେଶ ସାମିଲ ହେବେ ବୋଲି ଜଣାପଡିଛି । ଅନ୍ୟପଟେ ଉତ୍ତରକୋରିଆ ବୋମା ପରୀକ୍ଷଣକୁ ନେଇ କଡା ଆର୍ଥିକ କଟକଣା ତାଲିକା ପ୍ରସ୍ତୁତ କରୁଥିବା କହିଛି ଆମେରିକା । ଯାହାକୁ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ଉପସ୍ଥାପିତ କରିବ । ଉତ୍ତରକୋରିଆର ପରମାଣୁ ବୋମା ପରୀକ୍ଷଣ ଘଟଣାକୁ ନେଇ ସିଧା ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ । ସେ ଲେଖିଛନ୍ତି, ନର୍ଥ କୋରିଆର ପାଗଳାମିକୁ ସମର୍ଥନ କରୁଥିବା ଚୀନକୁ ସାରା ବିଶ୍ୱ ଆଗରେ ଅପମାନିତ ହେବାକୁ ପଡିପାରେ ।

ସୂଚନାଯୋଗ୍ୟ ଅନ୍ତର୍ଜାତୀୟ ସମୁଦାୟକୁ ବେଖାତିର କରି ଗତକାଲି ସବୁଠୁ ଶକ୍ତିଶାଳୀ ହାଇଡ୍ରୋଜେନ ବମ୍ ପରୀକ୍ଷା କରିଛି ଉତ୍ତର କୋରିଆ । ପରୀକ୍ଷା ସଂପୂର୍ଣ୍ଣ ହୋଇଥିବା ନେଇ ଦେଶବାସୀଙ୍କୁ ନିଜେ ଜଣାଇଥିଲେ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ହାଇଡ୍ରୋଜେନ୍ ବୋମା ସହ ଜଙ୍ଗ ଉନଙ୍କ ଏକ ଫଟୋ ମଧ୍ୟ ଗତକାଲି ନର୍ଥ କୋରିଆର ସରକାରୀ ଗଣମାଧ୍ୟମ ପ୍ରକାଶ କରିଥିଲା । ତେବେ ପରୀକ୍ଷଣ ଯୋଗୁଁ ଭୂମିକମ୍ପ ହୋଇଥିବା ରେକର୍ଡ କରିଛି ବିଭିନ୍ନ ଦେଶର ଭୂତତ୍ୱ ବିଭାଗ ।

ଏହି ପରୀକ୍ଷଣରେ କମ୍ପି ଉଠିଥିଲା ଜାପାନ, କୋରିଆ ଓ ଚୀନର ସଂଲଗ୍ନ ଉପକୂଳ । ଏହା ଏତେ ବିଧ୍ୱଂସୀ ଥିଲା ଯେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଅଂଚଳରେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିବା ମାପିଛି ଆମେରିକାର ଭୂତତ୍ୱ ବିଭାଗ । ଲାଗ ଲାଗ ଦୁଇଟି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ ୧୦ ସେକେଣ୍ଡ ପାଇଁ ରହିଥିବା ବେଳେ ୪.୯ ଥିଲା ଦ୍ୱିତୀୟ ଭୂମିକମ୍ପର ତୀବ୍ରତା । ନର୍ଥକୋରିଆର ଏପରି କାରନାମା ସାରା ବିଶ୍ୱକୁ ଚମକାଇ ଦେଇଛି ।

କୁହାଯାଉଛି ପୂର୍ବରୁ ଏହି ଦେଶ କରିଥିବା ନ୍ୟୁକ୍ଲିୟର ଟେଷ୍ଟଠାରୁ ଏହା ଥିଲା ୧୦ ଗୁଣ ଅଧିକ । ଏପରିକି ଏହାର ବିଧ୍ୱଂସୀ ଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନରେ ପଡିଥିବା ବୋମାଠାରୁ ୭ଗୁଣ ଅଧିକ ବିଧ୍ୱଂସକାରୀ । ଜୁଲାଇରେ ଦୁଇଟି ଦୂରଗାମୀ ଇଂଟର-କଂଟିନେଂଟାଲ ବାଲାଷ୍ଟିକ୍ ମିସାଇଲ ପରୀକ୍ଷା କରିଛି ନର୍ଥ କୋରିଆ । ଯାହା ୧୦ ହଜାର କିଲୋମିଟରକୁ ଟାର୍ଗେଟ କରିପାରିବ । ଯାହା ଆମେରିକାର ଯେକୌଣସି ସହରକୁ ଲକ୍ଷଭେଦ କରିପାରିବ । ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ କହିଛନ୍ତି ଏହି ହାଇଡ୍ରୋଜେନ ବୋମାକୁ ବାଲାଷ୍ଟକ୍ ମିସାଇଲରେ ଖଂଜି ପ୍ରକ୍ଷେପଣ କରିହେବ ।

ଏହି ପରୀକ୍ଷଣ ନେଇ ନର୍ଥକୋରିଆ ପ୍ରକାଶ କରିବା ପରେ କେବଳ ଆମେରିକା ନୁହେଁ ପୂରା ବିଶ୍ୱ ସମୁଦାୟ ତଟସ୍ଥ ହୋଇଯାଇଛି । ସେପଟେ ପ୍ରଥମ ଥର ପାଇଁ ନର୍ଥକୋରିଆର ଏହି ପରୀକ୍ଷଣ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ । ଏହାକୁ ନିନ୍ଦା କରିଥିଲେ ଚୀନ ରାଷ୍ଟ୍ରପତି ଜି. ପିଙ୍ଗ୍ । ବିକ୍ସ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ନର୍ଥକୋରିଆର ଏପରି କାର୍ୟ୍ୟ ଅଡୁଆରେ ପକାଇଦେଇଛି ଚୀନକୁ । କାରଣ ବିଶ୍ୱର ଅଧିକାଂଶ ଦେଶ ବାଣିଜ୍ୟିକ କାରବାର ବନ୍ଦ କରିଦେଇଥିବା ବେଳେ ଉତ୍ତରକୋରିଆକୁ ୯୦ ପ୍ରତିଶତ ସାମଗ୍ରୀ ରପ୍ତାନୀ କରୁଛି ଚୀନ ।

ସେପଟେ ଋଷିଆ ମଧ୍ୟ କଡ଼ା ଚେତାବନୀ ଦେଇଛି ଉତ୍ତରକୋରିଆକୁ । ତେବେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ନର୍ଥ କୋରିଆର ଗୋଟିଏ ପରେ ଗୋଟିଏ ବିଧ୍ୱଂସୀକାରୀ ଅସ୍ତ୍ର ପରୀକ୍ଷଣ କରୁଛି । ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟର ଜବାବ ଦେଇ ଆମେରିକାର ଗୁଆମ ଦୀପକୁ ଉଡାଇଦେବାକୁ ଧମକ ଦେଇଥିଲେ ଜଙ୍ଗ୍ ଉନ୍ । ଏପରିକି ଗତ ସପ୍ତାହରେ ଜାପାନ ଉପରେ ଦେଇ ଏକ ମିସାଇଲ ପରୀକ୍ଷା କରିଥିଲା ନର୍ଥକୋରିଆ । ଏବେ ହାଇଡ୍ରୋଜେନ୍ ବୋମା ଫୁଟାଇ ସାରା ବିଶ୍ୱକୁ ଚ୍ୟାଲେଂଜ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ।