କନକ ବ୍ୟୁରୋ : ନିର୍ଦ୍ଦିଷ୍ଟ ପତ୍ରପତ୍ରିକା ଦ୍ୱାରା ତଥାକଥିତ ‘ଅଗ୍ରଣୀ ଓଡ଼ିଶା’ର ଶ୍ରେଷ୍ଠ ଶାସକ ଭାବେ ବିବେଚିତ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ କିନ୍ତୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଢେର ପଛୁଆ । ଜାତୀୟ ସ୍ତରରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ହାର ୨୪.୫% ଥିବା ବେଳେ ଓଡ଼ିଶାରେ ତାହା ୧୯.୪% । ବହୁ ବର୍ଷ ଧରି ପ୍ରଚଳିତ ପାରମ୍ପରିକ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ କ୍ୱଚିତ ନିଯୁକ୍ତି ପ୍ରତିଶ୍ରୁତି ଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ଏଥିପ୍ରତି ଆକୃଷ୍ଟ ନ ହେବା ମଧ୍ୟ ସ୍ୱାଭାବିକ । ତେବେ ବ୍ୟାପକ ସଂସ୍କାର ଜରିଆରେ ଉଚ୍ଚ ଶିକ୍ଷାରେ ଉତ୍କର୍ଷତା ହାସଲ ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ଯେଉଁ ‘ଓଡ଼ିଶା ହାୟର୍‌ ଏଜୁକେଶନ୍‌ ପ୍ରୋଜେକ୍ଟ ଫର୍‌ ଏକ୍ସିଲାନ୍ସି ଆଣ୍ଡ ଇକ୍ୟୁଇଟି (ଓଏଚ୍‌ଇପିଇଇ) ଆରମ୍ଭ କରିଛନ୍ତି, ଆଗାମୀ ଦିନରେ ତାହା କଲେଜ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ମହଙ୍ଗା କରିବ ଓ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ଋଣବୋଝ ଲଦି ଦେବ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ଆଶଙ୍କା ବ୍ୟକ୍ତ କଲେଣି ।

ଉଚ୍ଚଶିକ୍ଷାର ବିକାଶ ଆଳରେ ଦେଶର ଅନ୍ୟ କୌଣସି ରାଜ୍ୟ ବିଶ୍ୱବ୍ୟାଙ୍କ ଋଣ କରୁନଥିବା ବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସେହି ଋଣଯନ୍ତା ଆଡ଼କୁ ଅଗ୍ରସର ହୋଇଛି । କାରଣ ଭବିଷ୍ୟତରେ ଏହାର ସୁଧ ଓ ମୂଳ ପରିଶୋଧ ପାଇଁ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ହିଁ ବୋଝ ପଡ଼ିବ । ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନିକ ମୁଖ୍ୟ ତଥା ଅତିରିକ୍ତ ମୁଖ୍ୟ ସଚିବ ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ଓଏଚଇପିଇଇ ଷ୍ଟିୟରିଂ କମିଟି ବୈଠକରେ ଗୃହୀତ ନିଷ୍ପତ୍ତିରୁ ଉପରୋକ୍ତ ଆଶଙ୍କା ଘନୀଭୂତ ହୋଇଛି ।

ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଭିତ୍ତିଭୂମି, ଅଧ୍ୟାପକ ନିଯୁକ୍ତି, ତାଲିମ, ଗୁଣାତ୍ମକ ଶିକ୍ଷା ଓ ବିକାଶ ନିମନ୍ତେ ରାଜ୍ୟର ୧୪୦ କଲେଜକୁ ବିଶ୍ୱବ୍ୟାଙ୍କ ଋଣରୁ ଦିଆଯିବ ୮୧୦ କୋଟି ଟଙ୍କା । ୧୧ଟି ବିଶ୍ୱବିଦ୍ୟାଳୟକୁ ମିଳିବ ୨୩୦ କୋଟି ଟଙ୍କା । ବିଶ୍ୱ ବ୍ୟାଙ୍କ ଋଣ ରାଶି ବିନିଯୋଗ ପାଇଁ ରାଜ୍ୟର ୧୪ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ମଧ୍ୟରୁ ହିତାଧିକାରୀ ଅନୁଷ୍ଠାନ ଚୟନ କରାଯିବ ।
ଏହି ଅଞ୍ଚଳରୁ ଉପଯୁକ୍ତ କଲେଜ ଚୟନ କରାଯାଇ ସେଗୁଡ଼ିକୁ ‘କ’ ଶ୍ରେଣୀରେ ରଖାଯିବ । ଅଣ-ଆଦିବାସୀ ଜିଲ୍ଲାରେ ଥିବା କଲେଜଗୁଡ଼ିକରୁ ଯୋଗ୍ୟ ଅନୁଷ୍ଠାନ ଚୟନ କରାଯାଇ ସେଗୁଡ଼ିକୁ ‘ଖ’ ଶ୍ରେଣୀରେ ରଖାଯିବ । ‘କ’ ଶ୍ରେଣୀଭୁକ୍ତ କଲେଜଗୁଡ଼ିକ ପାଇଁ ନିର୍ଦ୍ଧାରିତ ବ୍ୟୟ ଅଟକଳର ୨୫% ଲେଖାଏଁ ବାର୍ଷିକ ସହାୟତା ଆକାରରେ ୪ ବର୍ଷ ପର୍ୟ୍ୟନ୍ତ ଅର୍ଥ ଯୋଗାଇ ଦିଆଯିବ । ‘ଖ’ ଶ୍ରେଣୀଭୁକ୍ତ କଲେଜଗୁଡ଼ିକ ପାଇଁ ଅଟକଳ ରାଶିରୁ ବାର୍ଷିକ ୩୩% ହିସାବରେ ୩ ବର୍ଷ ପାଇଁ ସହାୟତା ଦିଆଯିବ । ଷ୍ଟିୟରିଂ କମିଟି ବୈଠକରେ ଗୃହୀତ ପ୍ରସ୍ତାବ ନଂ-୧୦ ଓ ୧୧ ଏଠାରେ ପ୍ରଣିଧାନସାପେକ୍ଷ । ସେଥିରେ କୁହାଯାଇଛି ଯେ ଅଧ୍ୟାପକ ନିଯୁକ୍ତି ହିତାଧିକାରୀ ଅନୁଷ୍ଠାନଗୁଡ଼ିକୁ ବିଶ୍ୱ ବ୍ୟାଙ୍କ ଋଣ ଅର୍ଥରୁ ସର୍ତ୍ତଭିତ୍ତିକ ସହାୟତା ମିଳିବ ।
ଯେଉଁ କଲେଜଗୁଡ଼ିକ ୩ ବର୍ଷ ବା ୪ ବର୍ଷ ପରେ ସମ୍ପୃକ୍ତ ଅଧ୍ୟାପକମାନଙ୍କ ଦରମା ବ୍ୟୟ ବହନ କରିବାକୁ ରାଜି ହେବେ, କେବଳ ସେହି କଲେଜଗୁଡ଼ିକ ଏ ବାବଦରେ ସହାୟତା ପାଇବେ ।  ସୁତରାଂ ୩ ବା ୪ ବର୍ଷ ପରେ ନବନିଯୁକ୍ତ ଅଧ୍ୟାପକମାନଙ୍କ ଦରମା ବୋଝ ସେସବୁ କଲେଜ ଉପରେ ପଡ଼ିବ । ଏହାକୁ ଭରଣା କରିବା ଲାଗି ପ୍ରସ୍ତାବ-୧୧ରେ ସ୍ପଷ୍ଟ ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି ଯେ ଉପରୋକ୍ତ ବ୍ୟୟ ଭରଣା ଲାଗି ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଫି ବୃଦ୍ଧି କ୍ଷମତା ମିଳିବ । ସୁତରାଂ ଏହି କଲେଜମାନେ ଛାତ୍ରଛାତ୍ରୀଙ୍କ ଫି’ ବଢ଼ାଇ ସେଥିରୁ ଅଧ୍ୟାପକମାନଙ୍କ ଦରମା ବ୍ୟୟ ଭରଣା କରିବା ଏକପ୍ରକାର ନିଶ୍ଚିତ ।

ସୂଚନାଯୋଗ୍ୟ, ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପଦର ପ୍ରାୟ ୫୦% ଖାଲି ପଡ଼ିଛି । ବିଶ୍ୱ ବ୍ୟାଙ୍କ ଋଣ ସହାୟତାରେ ଯଦି ଅଧ୍ୟାପକ ପଦ ପୂରଣ ହୁଏ, ତେବେ ୩ରୁ ୪ ବର୍ଷ ମଧ୍ୟରେ ଅର୍ଦ୍ଧାଧିକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ଦରମା ବୋଝ ସିଧାସଳଖ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ ।