ବିଶ୍ୱବ୍ୟାଙ୍କରୁ ପାକିସ୍ତାନକୁ ଝଟକା: କିଶନଗଙ୍ଗା ଡ୍ୟାମକୁ ନେଇ ବିବାଦ ନବଢାଇ ଭାରତର ପରାମର୍ଶକୁ ମାନିବାକୁ କହିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

44

କନକ ବ୍ୟୁରୋ: ଭାରତ ସହିତ ଜଳ ବିବାଦ ସମସ୍ୟାର ସମାଧାନ କରିବାକୁ ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶ । କିଶନଗଙ୍ଗା ଡ୍ୟାମ ବିବାଦକୁ ନେଇ ଅନ୍ତର୍ଜାତୀୟ କୋର୍ଟ ଯାଇଥିବା ପାକିସ୍ତାନକୁ ଭାରତର ପ୍ରସ୍ତାବ ସ୍ୱୀକାର କରିବାକୁ ବିଶ୍ୱ ବ୍ୟାଙ୍କ କହିଛି । ପାକିସ୍ତାନ କିଶନଗଙ୍ଗା ଡ୍ୟାମ ବିବାଦକୁ ନେଇ ଅନ୍ତର୍ଜାତୀୟ କୋର୍ଟ ଯାଇଥିବା ବେଳେ ଭାରତ ସ୍ୱତନ୍ତ୍ର ନିରପେକ୍ଷ ବିଶେଷଜ୍ଞଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଛି । ଏବେ ଏହି ପ୍ରସ୍ତାବକୁ ପାକିସ୍ତାନ ସ୍ୱୀକାର କରିବାକୁ ବିଶ୍ୱ ବ୍ୟାଙ୍କ କହିଛି ।

ବିଦେଶୀ ଗଣମାଧ୍ୟମ ଡନ ନ୍ୟୁଜ ଅନୁସାରେ, ଅନ୍ତର୍ଜାତୀୟ କୋର୍ଟ ଯିବା ନିଷ୍ପତିରେ ପରିବର୍ତନ ପାଇଁ ଗତ ସପ୍ତାହରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଜିମ ୟୋଙ୍ଗ କିଙ୍ଗ ପାକିସ୍ତାନ ସରକାରକୁ କହିଥିଲେ । ସିନ୍ଧୁ ନଦୀ ଉପରେ ଭାରତ ଅନେକ ପ୍ରକଳ୍ପ ନିର୍ମାଣ କରିଛି ଯାହା ସିନ୍ଧୁ ଜଳ ଚୁକ୍ତିର ଉଂଲଘନ କରୁଥିବା ପାକିସ୍ତାନ ଅଭିଯୋଗ କରୁଛି । ୧୯୬୦ରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ସିନ୍ଧୁ ଜଳ ଚୁକ୍ତିର ବୁଝାମଣା ହୋଇଥିଲା । ବିଶ୍ୱ ବ୍ୟାଙ୍କ, ସିନ୍ଧୁ ନଦୀ ଓ ଏହାର ଶାଖା ନଦୀର ପାଣିର ଭାଗବଂଟା ପାଇଁ ଏହି ଚୁକ୍ତି କରିଥିଲେ । ବର୍ତମାନ ସିନ୍ଧୁ ନଦୀ ଉପରେ ପାକିସ୍ତାନର ୮୦ ପ୍ରତିଶତ ଚାଷ ନିର୍ଭର କରୁଛି । ବନ୍ଧ ନିର୍ମାଣ ଦ୍ୱାରା ଅନେକ ନଦୀର ଜଳସ୍ତର କମିଯିବ ବୋଲି ପାକିସ୍ତାନ ଯୁକ୍ତି କରିଛି ।