ପଣ୍ଡା ଇନଫ୍ରାକୁ ବଡ ଝଟକା : ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ଅନିୟମିତତା ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

39

କନକ ବ୍ୟୁରୋ: ପଣ୍ଡା ଇନଫ୍ରାକୁ ଲାଗିଛି ବଡ ଝଟକା । ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ପୂର୍ତ ବିଭାଗ ପଣ୍ଡା ଇନଫ୍ରାକୁ ଏହି କାର୍ଯ୍ୟରୁ ବାଦ୍ ଦେଇଛି । ଅନକେ ଏ ସଂପର୍କରେ ସୂଚନା ଦେଇଛନ୍ତି ପୂର୍ତ ବିଭାଗ ସଚିବ । ଜଟଣୀ ଫ୍ଲାଏ ଓଭରବ୍ରିଜ୍ ଅନିୟମିତତା ନେଇ ସରକାର ପଣ୍ଡା ଇନ୍ଫ୍ରାକୁ ନୋଟିସ୍ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ତେବେ ପୂର୍ବରୁ ବମିଖାଲ ଫ୍ଲାଏଓଭର ଦୁର୍ଘଟଣା ପରେ ବିବାଦରେ ରହିଥିଲା ପଣ୍ଡା ଇନଫ୍ରା । ଦୁର୍ଘଟଣାରେ ଜଣେ ଦୁଇଜଣଙ୍କ ମୃତ୍ୟୁ ପରେ ପଣ୍ଡା ଇନଫ୍ରାକୁ ବମିଖାଲ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟରୁ ବାଦ୍ ଦିଆଯାଇଥିଲା । ଅନ୍ୟ ୩ଟି ସ୍ଥାନରେ ଏହି ଠିକା ସଂସ୍ଥାର କାର୍ୟ୍ୟକୁ ସରକାର ସମୀକ୍ଷା କରିବା ଆରମ୍ଭ କରିଥିଲେ। ଉକ୍ତ ପଣ୍ଡା ଇନ୍ଫ୍ରାର କାର୍ୟ୍ୟ ଶୈଳୀକୁ ନେଇ ଜନ ଅସନ୍ତୋଷ ବଢୁଥିବାରୁ ଜଟଣୀ ଫ୍ଲାଏ ଓଭରବ୍ରଜ୍ କାର୍ଯ୍ୟରୁ ପୂର୍ତ ବିଭାଗ ପଣ୍ଡା ଇନଫ୍ରାକୁ ବାଦ୍ ଦେଇଛି । ପୂର୍ବରୁ ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ଅଭିଯୋଗର ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଥିଲା। ଏହି ଫ୍ଲାଏ ଓଭରବ୍ରିଜ୍ କାର୍ୟ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ଆଣି ନିର୍ମାଣକାରୀ ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟକୁ ଏଥିରୁ ଅନ୍ତର କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ଉଠିଥିଲା । ଶେଷରେ ରାଜ୍ୟ ସରକାର ଏହି ପ୍ରୋଜେକ୍ଟରୁ ପଣ୍ଡାକୁ ବାଦ୍ ଦେଇଛନ୍ତି ।

ତେବେ ଏହି ଜଟଣୀ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାର ୫୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ଟେଣ୍ଡର ଆହ୍ବାନ ପରେ ୨୦୧୫ ଜୁଲାଇ ୨୯ରେ ପଣ୍ଡା ଇନ୍ଫ୍ରା ଠିକା ସଂସ୍ଥା ଏହି କାମ କରିବାକୁ ଚୁକ୍ତିନାମା କରିଥିଲା। ଚୁକ୍ତି ଅନୁଯାୟୀ କାର୍ୟ୍ୟ ଧାର୍ୟ୍ୟ ସମୟରେ ଶେଷ ନ ହୋଇ ୧ ବର୍ଷରୁ ଅଧିକ ହୋଇଯାଇଥିଲେ ମଧ୍ୟ ବ୍ରିଜ୍ କାର୍ୟ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଠିକାସଂସ୍ଥା ଏପରି କାର୍ୟ୍ୟ କରୁଥିବା ଜାଣିବା ପରେ ପ୍ରମାଣ ପାଇଁ କାର୍ୟ୍ୟସ୍ଥଳରେ ସ୍ଥାନୀୟ ବ୍ୟବସାୟୀ ସଂଘ ଗୁପ୍ତରେ ସିସିଟିଭି କ୍ୟାମେରା ଲଗାଇଥିଲା। କ୍ୟାମେରାରେ ଉଠିଥିବା ଭିଡିଓ ଚିତ୍ରରୁ ପାଇଲିଂ କାର୍ୟ୍ୟରେ ବ୍ୟାପକ ଏପଟସେପଟ କରାଯାଇଥିବା ଦେଖିବାକୁ ମିଳିଥିଲା।

ଏ ସମ୍ପର୍କରେ ଜଟଣୀ ବ୍ୟବସାୟୀ ମହାସଂଘର ସଭାପତି ସେତେବେଳେ ପୂର୍ତ୍ତ ବିଭାଗଠାରୁ ଆରମ୍ଭ କରି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ୨୦୧୭ ଫେବୃୟାରୀ ୯ରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ପୃକ୍ତ ବିଭାଗର ଜଣେ ଡିଏସ୍ପି ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ସିସିଟିଭି ଫୁଟେଜ୍ ଦେଖିବା ସହ ଅନ୍ୟାନ୍ୟ ତଦନ୍ତ କରି ଫେରି ଯାଇଥିଲେ। ଏହାପରେ ଭିଜିଲାନ୍ସକୁ ପକ୍ଷଭୁକ୍ତ କରି ଜଟଣୀ ବ୍ୟବସାୟୀ ମହାସଂଘର ସଭାପତି ଉଚ୍ଚନ୍ୟାୟାଳୟରେ ଏକ ମାମଲା ରୁଜୁ କରିଥିଲେ। ପୂତ୍ତର୍ର୍ ବିଭାଗର ଯନ୍ତ୍ରୀ ଓ କର୍ମଚାରୀଙ୍କ ଅନୁପସ୍ଥିତିରେ ବିଳମ୍ବିତ ରାତିରେ ପାଇଲିଂ କାର୍ୟ୍ୟ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ନ୍ୟାୟାଳୟକୁ ଜଣାଯାଇଥିଲା । ଏହାର ଏକ ବୈଷୟିକ ତଦନ୍ତର ଆବଶ୍ୟକତା ଥିବାରୁ ଭିଜିଲାନ୍ସ ସୁପାରିସ ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ରାଉରକେଲା ଏନ୍ଆଇଟିକୁ ଦେଇଥିଲେ। ୨୦୧୭ ଅକ୍ଟୋବର ୮ରେ ଏନ୍ଆଇଟି ଟିମ୍ ନିର୍ମାଣସ୍ଥଳକୁ ଆସି ପରୀକ୍ଷା ନିରୀକ୍ଷା କରିଥିଲା। ଶେଷରେ ଏନ୍ଆଇଟି ଟିମ୍ ରିପୋର୍ଟ ହସ୍ତଗତ ହେବାପେର ପଣ୍ଡା ଇନଫ୍ରାକୁ ଏହି ପ୍ରୋଜେକ୍ଟରୁ ବାଦ ଦିଆଯାଇଛି ।