ଲକଡାଉନ ସମୟରେ ବି ଚାଲିଛି ସରକାରୀ କାମ । ଜଗତସିଂହପୁର ଜିଲ୍ଲାରେ ଘରୁ ଚାଲିଛି ଇ- ଅଫିସ । ଅନଲାଇନ ପ୍ଲାଟଫର୍ମରେ ଘରୁ କାମ କରୁଛନ୍ତି କୃଷି, ତହସିଲ, ବ୍ଲକ, ମୁନସିପାଲଟି ଅଫିସର କର୍ମଚାରୀ

1,500

କନକ ବ୍ୟୁରୋ: ଲକଡାଉନ୍ ବେଳେ ଅଫିସ ବନ୍ଦ, ରାସ୍ତାଘାଟ ସିଲ । ସବୁଆଡେ ଶୂନଶାନ ଆଉ ଖାଁ ଖାଁ । ତାଲାବନ୍ଦ ସତ୍ୱେ ବି ଜଗତସିଂହପୁର ଜିଲ୍ଲାରେ ସରକାରୀ କାର୍ଯ୍ୟରେ ବାଧା ହୋଇନାହିଁ । କାରଣ ଜିଲ୍ଲାର ସରକାରୀ ଅଫିସ ଗୁଡିକୁ ଇ-ଅଫିସ ପରିସରଭୁକ୍ତ କରାଯାଇଛି । ଫେବ୍ରୁଆରୀ ମାସରୁ ଜିଲ୍ଲାପାଳଙ୍କ ଏହି ଅଭିଯାନ ଏହି ଆପଦ କାଳରେ ବେଶ ସହାୟକ ହୋଇଛି ।

ସରକାର ତିନିଟି ଶ୍ରେଣୀରେ ବିଭିନ୍ନ ବିଭାଗକୁ ବାଂଟିଛନ୍ତି । କ୍ରିଟିକାଲ୍, ପାର୍ସିଆଲ୍ କ୍ରିଟିକାଲ ଓ ନନ୍ କ୍ରିଟିକାଲ । ଗୁରୁତ୍ୱପୂର୍ଣ୍ଣ ଅଫିସକୁ ଛାଡିଦେଲେ ବନ୍ଦ ରହିଛି ଅନ୍ୟାନ୍ୟ କାର୍ଯ୍ୟାଳୟ । ହେଲେ ଜଗତସିଂହପୁର ଜିଲ୍ଲାରେ ସରକାରୀ କାମରେ ବାଧା ସୃଷ୍ଟି ହେଉନାହିଁ । କାରଣ ଇ-ଅଫିସ ଜରିଆରେ କର୍ମଚାରୀମାନେ ଘରୁ ଫାଇଲ କାମ କରୁଛନ୍ତି ।

ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ଅଫିସ, ତହସିଲ, କୃଷି ବିଭାଗ, ସିଡିଏମଓ ଅଫିସ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ, ଜଗତସିଂହପୁର ଓ ପାରାଦୀପ ମୁନିସିପାଲିଟି ଆଦିକୁ ଇ-ଅଫିସ ପରିସରଭୁକ୍ତ କରାଯାଇଛି । ପେପର୍ ଲେସ୍ ଜିଲ୍ଲା କରିବା ପାଇଁ ଜାନୁଆରୀ ୩୧ ତାରିଖରୁ ଜିଲ୍ଲାପାଳ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ, ତାହା ଆଜି ଆଶୀର୍ବାଦ ଭଳି କାର୍ଯ୍ୟ କରୁଛି । ଦିନକୁ ୪୦-୫୦ ଫାଇଲ କାମ ଶେଷ ହେଉଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।