ଗାଁ ଲୋକଙ୍କ ଶ୍ରମଦାନରେ ନିର୍ମାଣ ହେଲା ପୋଲ : ଫୁଲବାଣୀର ସାଲୁଙ୍କି ନଦୀ ଉପରେ କାଠ ପୋଲ ତିଆରି କଲେ ଗ୍ରାମବାସୀ

35

କନକ ବ୍ୟୁରୋ : ନଦୀରେ ପୋଲ ତିଆରି କଲେ ଗାଁଲୋକେ । ଫୁଲବାଣୀ ସଦର ମହକୁମା ଠାରୁ ମାତ୍ର ୫କିଲୋମିଟର ଦୂର ସାଲୁଙ୍କି ନଦୀ ଉପରେ କାଠ ପୋଲ ତିଆରି କଲେ ଗ୍ରାମବାସୀ । ଦଡକି, ଦୁଡୁକି ଓ ଆଲାମି ଗ୍ରାମପଂଚାୟତର ୧୬ଟି ଗାଁରଲୋକେ ମିଶି ଏହି ପୋଲ ତିଆରି କରୁଛନ୍ତି । ପ୍ରତି ଘରୁ ୩୦ଟଙ୍କା ଓ ୧କିଲୋଗ୍ରାମ ଚାଉଳ ସଂଗ୍ରହ କରି ପ୍ରାୟ ଶହେରୁ ଅଧିକ ଯୁବକ ମିଶି ନିର୍ମାଣ କଲେ ପୋଲ । ଏହି ପୋଲି ଦେଇ ଫୁଲବାଣୀକୁ ଆସିଲେ ୫କିଲୋମିଟର ରାସ୍ତା ହେଉଥିବାବେଳେ ବର୍ଷା ଦିନରେ ଏହା ଧୋଇଗଲେ ପଂଚାୟତବାସୀଙ୍କୁ ୧୨ କିଲୋମିଟର ଅତିକ୍ରମ କରି ଫୁଲବାଣୀକୁ ଆସିବାକୁ ପଡେ ।

ବର୍ଷା ଦିନରେ ଜଳବନ୍ଦୀ ଭାବେ ଦିନ ବିତାଉଥିବା ଲୋକେ ବର୍ଷା ଦିନ ପରେ ହିଁ ପ୍ରତି ବର୍ଷ ଆରମ୍ଭ କରିଦିଅନ୍ତି କାଠ ପୋଲ ନିର୍ମାଣ କାମରେ । ସ୍କୁଲ, କଲେଜ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଦିନ ମଜୁରିଆ ଭାବେ କାମ କରୁଥିବା ଲୋକେ ଫୁଲବାଣୀ ଉପରେ ନିର୍ଭରଶୀଳ । ତେଣୁ ବାଧ୍ୟ ହୋଇ ପ୍ରତିବର୍ଷ ପଂଚାୟତବାସୀ ନିଜେ ଶ୍ରମଦାନ କରି ପୋଲ ନିର୍ମାଣ କରନ୍ତି । ଏନେଇ ବିଡିଓଙ୍କୁ ପଚାରିବାରୁ ସାଲୁଙ୍କି ନଦୀରେ ପୋଲ ତିଆରି ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସହ ପୋଲ ର୍ନିମାଣରେ ସାମିଲ ଥିବା ଲୋକଙ୍କୁ ଏମଜି ଏନଆରଇଜିଏସରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି ।

ଗାଁକୁ ଯିବାକୁ ସ୍ଥାୟୀ ପୋଲଟିଏ ମଧ୍ୟ ନାହିଁ । ପ୍ରଶାସନ ନିକଟରେ ଗୁହାରୀ କରି କରି ନୟାନ୍ତ ଗ୍ରାମବାସୀ ଶେଷରେ ଶ୍ରମଦାନରେ ନିଜେ ପୋଲ ତିଆରି କଲେ ।