ବାଉଁଶରୁ ତିଆରି ହେବ କାଠ ସାମଗ୍ରୀ ! ସୋଫା, ଡାଇନିଂ ପରି ଭଳିକି ଭଳି ଘରୋଇକରଣ ଆସବାବପତ୍ର ପ୍ରସ୍ତୁତ କରିବ ତ୍ରିପୁରା କମ୍ପାନୀ ।

76

କନକ ବ୍ୟୁରୋ : ରାଜ୍ୟରେ ଯେତିକି ପରିମାଣର ବାଉଁଶ ଉତ୍ପାଦନ ହେଉଛି ତାହା କାମରେ ଲାଗୁନାହିଁ । ଅନ୍ୟ ରାଜ୍ୟକୁ ଯାଉଛି କିମ୍ବା ନଷ୍ଟ ହେଉଛି । ହେଲେ ହୋଇପାରୁନାହିଁ ବ୍ୟବସାୟୀକରଣ । ତେବେ ଏହାର ସମାଧାନ ପାଇଁ ବାଉଁଶକୁ କାଠରେ ପରିଣତ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନର ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ଏବଂ ତ୍ରିପୁରାର ମୁଥା କମ୍ପାନୀ ମିଳିତ ଭାବେ ଏହି ଉତ୍ପାଦନ କରିଛନ୍ତି । ଯାହାକି ବାଉଁଶକୁ ନେଇ ବ୍ୟବସାୟକୁ ଏକ ନୂଆ ଦିଗ ଦେଇଛି ।

ବାଉଁଶର ହେବ ବ୍ୟବସାୟକରଣ । ଏଣିକି ବାଉଁଶରୁ ପ୍ରସ୍ତୁତ ହେବ କାଠ ସାମଗ୍ରୀ  । ସୋଫାସେଟ, ଡାଇନିଂ ସେଟ, ଖଟ, ଛୋଟ ଚୌକି, କବାଟ । କାଠରେ ତିଆରି ହୋଇଛି ଏହି ସୁନ୍ଦର ଆସବାବପତ୍ର  । କିନ୍ତୁ ଏସବୁ କାଠ ବାଉଁଶରୁ ପ୍ରସ୍ତୁତ ହୋଇଛି । ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରକ୍ରିୟାକରଣରେ ବାଉଁଶରୁ ନିର୍ମାଣ ହେଉଛି କାଠ । ପରେ ଏସବୁ କାଠରେ ବିଭିନ୍ନ ସାମଗ୍ରୀ ତିଆରି କରାଯାଉଛି । ଓଡିଶାର ଜଙ୍ଗଲରେ ଥିବା କଂଚା ଶାଳିଆ ବାଉଁଶରୁ ପ୍ରସ୍ତୁତ ହେଉଥିବା କାଠରେ ତିଆରି ହେଉଛି ଏସବୁ ଉତ୍ପାଦ ।

ଗତ ଜୁନ ମାସରେ ପରୀକ୍ଷାମୂଳକ ଭାବେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ଅଗରତାଲାରେ ଥିବା ମୁଥା କଂପାନୀରେ ବୌଦ୍ଦର ହାତୀଧରା ବାଉଁଶ ଜଙ୍ଗଲରୁ ବାଉଁଶ କାଟି ନେଇଥିଲେ । ସେଠାରେ ଏସବୁ ବାଉଁଶରୁ କାଠ ପ୍ରସ୍ତୁତ କରାଯାଇଥିଲା । ବତାକୁ ଅଲଗା କରାଯାଇ ଗଣ୍ଠି ଗୁଡିକୁ ବାହାର କରାଯାଇଥିଲା । ପରେ ସିଝା ଯାଇ ସେଥିରୁ କାଠ ବାହାର କରାଯାଇଥିଲା ।

ଓଡିଶାରେ ପାଖାପାଖି ୨ଲକ୍ଷ ୫୦ହଜାର ମେଟ୍ରିକ ଟନ୍ ବାଉଁଶ କଟାଯାଏ । ଏହି ବାଉଁଶ ଗୁଡିକୁ ଅନ୍ୟ ରାଜ୍ୟକୁ ବିକ୍ରି କରାଯାଏ କିମ୍ବା ଅନ୍ୟାନ୍ୟ କାମରେ ଲାଗେ । ହେଲେ କାଠ ପ୍ରସ୍ତୁତ ହୁଏ ନାହିଁ । ତେଣୁ ଏହାକୁ ବ୍ୟବସାୟ ଉପଯୋଗୀ କରିବା ପାଇଁ ଆସନ୍ତା ୨୯ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି । ରାଜ୍ୟରେ ଏକ ଫ୍ୟାକ୍ଟ୍ରି କରିବା ପାଇଁ ମୁଥା କମ୍ପାନୀକୁ ସମସ୍ତ ସହଯୋଗ ପ୍ରଦାନ ନେଇ ଏଥିରେ ଆଲୋଚନା ହେବ । ଏଥିସହ ଓଡିଶାର ଉଦ୍ୟୋଗୀମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ ।