ପ୍ରଶାସନର ଉଦାସିନତାକୁ ପଦାରେ ପକାଇଲେ ଆଦିବାସୀ ! ନିଜ ଉଦ୍ୟମରେ ନାଗାବଳୀ ଉପରେ କାଠ ପୋଲ ନିର୍ମାଣ କଲେ କଲ୍ୟାଣସିଂହପୁରବାସୀ

34

କନକ ବ୍ୟୁରୋ : ଗୁହାରି ଶୁଣିଲାନି ପ୍ରଶାସନ । ପ୍ରଶାସନିକ ଅବହେଳାକୁ ପଦାରେ ପକାଇ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିହପୁର ବ୍ଲକର ବିଶିନପୁର ଗ୍ରାମବାସୀ । ୩ ବର୍ଷ ତଳେ ନାଗାବଳୀରେ ନିର୍ମାଣ ହୋଇଥିବା ଝୁଲା ପୋଲ ଗତ ବନ୍ୟାରେ ଭାସି ଯିବା ପରେ କାଠ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ ।

ପୋଲଟି ଭାସି ଯିବା ପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଆଦିବାସୀ ଗ୍ରାମବାସୀ ବିକଳ୍ପ ପାଇଁ, ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି କଲ୍ୟାଣସିହପୁର ବ୍ଲକ ପ୍ରଶାସନ ଯାଏଁ ସମସ୍ତଙ୍କୁ ଜଣାଇଥିଲେ । ହେଲେ କେହି ଏମାନଙ୍କୁ ଦୁଃଖ ବୁଝିନଥିବା ଅଭିଯୋଗ ହୋଇଛି ।

ପ୍ରଶାସନ ଠାରୁ ନିରାସ ହେବା ପରେ ବିଶିନପୁର ଗାଁର ଦେଢଶହ ପରିବାର ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଥିଲେ । ଘର ପିଛା ୩୦ ଟଙ୍କା ଲେଖାଏ ଆଦାୟ କରି ୪ ଦିନ ଧରି ଜଙ୍ଗଲରୁ କାଠ, ବାଉଁଶ ଆଣି ନିଜ ପାଇଁ ପୋଲ କରି ପ୍ରଶାସନର ପାରିବା ପାଣିଆ ଉପରେ ପ୍ରଶ୍ନ ଠିଆ କରିଛନ୍ତି ଗ୍ରାମବାସୀ । ନାଗାବଳୀ ବନ୍ୟାରେ ଝୁଲା ପୋଲ ଭାସି ଯିବା ପରେ ବିଶିନିପୁରର ଆଦିବାସୀ ଲୋକ କଲ୍ୟାଣସିଂହପୁର ଠାରୁ ସମ୍ପୂଣ୍ଣରୂପେ ବିଚ୍ଛିନ୍ନ ହୋଇ ରହିଥିଲା ।