ରାଜ୍ୟସଭାରେ ଅଟକିଛି ତିନି ତଲାକର ଭାଗ୍ୟ । ଟ୍ରିପଲ ତଲାକ ବିଲକୁ ନେଇ ରାଜ୍ୟସଭା ଅଚଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଜାନୁୟାରୀ ୨ଯାଏଁ ଗୃହକାର୍ଯ୍ୟ ସ୍ଥଗିତ

121

କନକ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ଅଟକିଛି ତିନି ତଲାକର ଭାଗ୍ୟ । ତିନି ତଲାକ ବିଲ ନେଇ ରାଜ୍ୟସଭାରେ ହଙ୍ଗାମା ପରେ ଗୃହ ମୁଲତବୀ ହୋଇଛି । ବିରୋଧୀ ବାରମ୍ବାର ହଟ୍ଟଗୋଳ କରିଥିଲେ ଫଳରେ ଜାନୁୟାରୀ ୨ଯାଏଁ ଗୃହକାର୍ଯ୍ୟ ସ୍ଥଗିତ କରାଯାଇଛି । ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବାର ଥିଲା ଟ୍ରିପଲ ତଲାକ ବିଧେୟକ ।

ଗତ ଗୁରୁବାର ଲୋକସଭାରେ ବିଧେୟକ ଉପସ୍ଥାପିତ ହୋଇ ପାସ ହୋଇସାରିଛି । ତିନି ତଲାକ ବିଲ ଆଣିଲା ବେଳକୁ ରାଜ୍ୟସଭାରେ ସରକାରଙ୍କ ହେବ ଅସଲି ପରୀକ୍ଷା । କାରଣ- ରାଜ୍ୟସଭାରେ ମୋଦି ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ନାହିଁ । ତଥାପି ମୁସଲିମ ମହିଳା ବିବାହ ସଂରକ୍ଷଣ ବିଲ-୨୦୧୮କୁ ସରକାର ପ୍ରାଥମିକତା ଦେଇ ଆଜି ରାଜ୍ୟସଭାରେ ଉପସ୍ଥାପିତ କରିବାର ଥିଲା । ଟ୍ରିପଲ ତଲାକ ବିଲ ରାଜ୍ୟସଭାକୁ ଆସିବାକୁ ଥିବା ବେଳେ ବିଜେପି ନିଜ ସାଂସଦମାନଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଥିଲା ।

ସେପଟେ କଂଗ୍ରେସ ମଧ୍ୟ ସାଂସଦଙ୍କୁ ରାଜ୍ୟସଭାରେ ରହିବାକୁ ହ୍ୱିପ ଜାରି କରିଥିଲା । ଲୋକସଭାରେ ତିନି ତଲାକ ବିଧେୟକ ପାରିତ ହୋଇଥିବା ବେଳେ ବିରୋଧୀ କକ୍ଷ ତ୍ୟାଗ କରିଥିଲେ । ମୋଦି ସରକାର ବିଲକୁ ଜଏଂଟ ସିଲେକ୍ସନ କମିଟି ପାଖକୁ ପଠାଇବାକୁ ମନା କରିବାରୁ ବିରୋଧୀ କକ୍ଷ ତ୍ୟାଗ କରିଥିଲେ । ଗତ ବର୍ଷ ତିନି ତଲାକ ବିଲ ଲୋକସଭାରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ବିରୋଧୀଙ୍କ କଡା ବିରୋଧ ଯୋଗୁଁ ଅଟକି ରହିଥିଲା । ବିଲରେ କେତେକ ସଂଶୋଧନ ଆଣି ପୁଣି ସରକାର ସଂସଦରେ ଟ୍ରିପଲ ତଲାକ ବିଲ ଉପସ୍ଥାପିତ କରିଛନ୍ତି ।